ଅବହେଳିତ ଐତିହ୍ୟ: ଧ୍ୱଂସ ଅପେକ୍ଷାରେ ବୌଦ୍ଧଗଡ଼ଜାତର ଐତିହାସିକ ସ୍ମାରକ
1 min read

ଅବହେଳିତ ଐତିହ୍ୟ: ଧ୍ୱଂସ ଅପେକ୍ଷାରେ ବୌଦ୍ଧଗଡ଼ଜାତର ଐତିହାସିକ ସ୍ମାରକ

ବୌଦ୍ଧ: ଯେଉଁ ଅଞ୍ଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଞ୍ଚଳର ବିକାଶ ଓ ପର୍ଯ୍ୟଟନ ସମ୍ଭାବନା ମଧ୍ୟ ସେତେ ଅଧିକ। ହେଲେ ବୌଦ୍ଧ ଜିଲ୍ଲାର ଅନେକ ଐତିହାସିକ କୀର୍ତ୍ତିରାଜି ଏବେ ଅବହେଳାର ଶିକାର। ରକ୍ଷଣାବେକ୍ଷଣ ଅଭାବରୁ ଐତିହାସିକ ସ୍ମାରକଗୁଡ଼ିକ ଧୀରେଧୀରେ ନଷ୍ଟ ହେବାକୁ ବସିଥିବା ବେଳେ ଏହାକୁ ନେଇ ଐତିହ୍ୟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ବୌଦ୍ଧଗଡ଼ଜାତର ରାଜତ୍ୱ କାଳର ଅନେକ ଐତିହାସିକ ସ୍ଥାନ ଆଜି ବି ଅଞ୍ଚଳର ଗୌରବ ବହନ କରୁଛି। ବୌଦ୍ଧ ରାଜ୍ୟର ୪୪ତମ ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ୱ କାଳ ୧୮୭୯ରୁ ୧୯୧୩ ମଧ୍ୟରେ ପ୍ରାଚୀନ ଜଗନ୍ନାଥ ସଡ଼କ ତଥା ମହାନଦୀ କୂଳେ ବାସୁଦେବପାଲି, ବାଉଁଶୁଣୀ, ବାଘନଦୀ, ତେଲିବନ୍ଧ, ବୌଦ୍ଧ, କରଡ଼ି, ଧଳପୁର, ହରଭଙ୍ଗା ଓ ଶୀତଳପାଣି ଆଦି ସ୍ଥାନରେ ଅନେକ ବଙ୍ଗଳା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଗୁଡ଼ିକୁ ଡାକବଙ୍ଗଳା ଭାବେ ବ୍ୟବହାର କରାଯାଉଥିଲା।

ରାଜତନ୍ତ୍ରର ଅବସାନ ପରେ ଏହି ବଙ୍ଗଳାଗୁଡ଼ିକ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନକୁ ଆସିଥିଲା। ସେଥିମଧ୍ୟରୁ ବାଉଁଶୁଣୀ ଡାକବଙ୍ଗଳାଟି ବାଘନଦୀ ଓ ମହାନଦୀର ସଙ୍ଗମସ୍ଥଳ ନିକଟରେ ଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଆକର୍ଷଣୀୟ ସ୍ଥାନ ଭାବେ ପରିଚିତ ଥିଲା। ଏଠାରେ ଅନେକ ବିଶିଷ୍ଟ ବ୍ୟକ୍ତି ରାତ୍ରିଯାପନ କରୁଥିବା କଥା ସ୍ଥାନୀୟ ବୟସ୍କମାନେ କହିଥାନ୍ତି।

ଏକଦା ବିଭିନ୍ନ ସଭାସମିତି ସହ ଅଞ୍ଚଳକୁ ଆସୁଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏଠାରେ ରାତ୍ରିଯାପନ କରୁଥିଲେ। ଛତିଶଗଡ଼ ଅଞ୍ଚଳର ଲୋକମାନେ ମଧ୍ୟ ପୁରୀ ଯାତ୍ରା ସମୟରେ ଏହି ଅଞ୍ଚଳରେ ବିଶ୍ରାମ ନେଉଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼େ।

ହେଲେ ଏବେ ଏହି ଐତିହାସିକ ଡାକବଙ୍ଗଳାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ପ୍ରାୟ ୪ ବର୍ଷ ହେଲା ଏହାର ଛାତ କାଢ଼ି ଦିଆଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ଆଗେଇନାହିଁ। ଫଳରେ ଐତିହାସିକ କୋଠାଟି ଏବେ ପରିତ୍ୟକ୍ତ ସ୍ଥାନରେ ପରିଣତ ହୋଇଛି। ଏହା ଅସାମାଜିକ ତତ୍ତ୍ୱ ଓ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟିବା ସହ ଧୀରେଧୀରେ ଧ୍ୱଂସ ଆଡ଼କୁ ଗତି କରୁଛି।

ମରାମତି ନାଁରେ ଗତ ୪ ବର୍ଷ ଧରି ଛାତ କାଢ଼ି ଦିଆଯାଇଥିବାରୁ ବର୍ଷା ଋତୁରେ କୋଠାଟିର ଅବସ୍ଥା ଆହୁରି ଦୟନୀୟ ହେବାର ଆଶଙ୍କା ରହିଛି। ଏହା ସହିତ ପୂର୍ବରୁ ଥିବା ରାଜରାଜୁଡ଼ା ଅମଳର ଅନେକ ପୁରୁଣା ସାମଗ୍ରୀ, ଡ୍ରେସିଂ ଟେବୁଲ, ଟିପୟ ଓ ଅନ୍ୟାନ୍ୟ ଐତିହାସିକ ଉପକରଣ ବର୍ତ୍ତମାନ କେଉଁଠି ଅଛି, ତାହାର ସଠିକ୍ ତଥ୍ୟ ମଧ୍ୟ ମିଳୁନାହିଁ।

ଏଭଳି ସ୍ଥିତିରେ ଅଞ୍ଚଳର ଐତିହାସିକ ସ୍ମାରକଗୁଡ଼ିକୁ ସୁରକ୍ଷିତ ରଖିବା ନେଇ ପ୍ରଶ୍ନ ଉଠିଛି। ଐତିହ୍ୟପ୍ରେମୀଙ୍କ ମତରେ, ଏହି କୋଠା କେବଳ ଏକ ପୁରୁଣା ନିର୍ମାଣ ନୁହେଁ; ଏହା ବୌଦ୍ଧଗଡ଼ଜାତର ଇତିହାସ ଓ ଅତୀତର ଏକ ଜୀବନ୍ତ ସ୍ମାରକ। ତେଣୁ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ ହେବା ପୂର୍ବରୁ ପୁନରୁଦ୍ଧାର କରି ସଂରକ୍ଷିତ କରାଯିବା ଆବଶ୍ୟକ।

ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଐତିହାସିକ ଡାକବଙ୍ଗଳାର ପୁନରୁଦ୍ଧାର ଓ ସଂରକ୍ଷଣ କରିବାକୁ ବୁଦ୍ଧିଜୀବୀ ଓ ଐତିହ୍ୟପ୍ରେମୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *