୪୬ ବର୍ଷ ହେଲାଣି, ନିଜସ୍ୱ କୋଠା ନାହିଁ; ବାରଣ୍ଡାରେ ପାଠପଢ଼ା
1 min read

୪୬ ବର୍ଷ ହେଲାଣି, ନିଜସ୍ୱ କୋଠା ନାହିଁ; ବାରଣ୍ଡାରେ ପାଠପଢ଼ା

ମାଲକାନଗିରି: ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ୧୯୮୦ ମସିହାରୁ ସ୍ଥାପିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ କୋଠା, ରୋଷେଇଘର ଓ ଶୌଚାଳୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷ ଧରି ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି।

ଚିତ୍ରକୋଣ୍ଡା ବ୍ଲକ୍‌ ରାଲେଗଡ଼ା ପଞ୍ଚାୟତର ସୁଆପାଲି ଗ୍ରାମରେ ଥିବା ଏହି ବିଦ୍ୟାଳୟର ଏଭଳି ଅବସ୍ଥା ନେଇ ଗ୍ରାମବାସୀ ଓ ଅଭିଭାବକମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ୨୦୨୧ରେ ସ୍ଥାୟୀ କୋଠା ନିର୍ମାଣ ପାଇଁ ପ୍ରାୟ ୧୩.୬୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। କୋଠା ଓ ରୋଷେଇଘର ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଅନୁଦାନ ଅଭାବରୁ ପାଞ୍ଚ ବର୍ଷ ଧରି କାମ ଅଧାପନ୍ତରିଆ ହୋଇ ରହିଛି।

ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ନିଜସ୍ୱ ରୋଷେଇଘର ନଥିବାରୁ ମଧ୍ୟାହ୍ନଭୋଜନ ମଧ୍ୟ ବାହାରେ ରୋଷେଇ କରି ପିଲାଙ୍କୁ ଦିଆଯାଉଛି। ବାରଣ୍ଡାରେ ଦୀର୍ଘ ସମୟ ଧରି ପାଠ ପଢ଼ିବାକୁ ପଡ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ପରିବେଶ ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୪୬ ବର୍ଷ ଧରି ଏହି ବିଦ୍ୟାଳୟ ନିଜସ୍ୱ ଭିତ୍ତିଭୂମିରୁ ବଞ୍ଚିତ। ବିଦ୍ୟାଳୟ ଭବନ ନିର୍ମାଣ ସମ୍ପୂର୍ଣ୍ଣ କରିବା ସହ ଆବଶ୍ୟକ ମୌଳିକ ସୁବିଧା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଶିକ୍ଷା ବିଭାଗ ପକ୍ଷରୁ ଅଧିକାରୀମାନେ ସମସ୍ୟା ସମ୍ପର୍କରେ ଅବଗତ ଥିବା କୁହାଯାଇଛି। ଭଙ୍ଗା କିମ୍ବା ଘର ନଥିବା ବିଦ୍ୟାଳୟଗୁଡ଼ିକର ତାଲିକା ପ୍ରସ୍ତୁତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଥିବାରୁ ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ନିର୍ମାଣ କାମ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *