ନବରଙ୍ଗପୁରରେ ଶ୍ରମିକ ପଞ୍ଜୀକରଣରେ ଅବ୍ୟବସ୍ଥା; ୧୦ ବ୍ଲକ୍ରେ ମାତ୍ର ୪ ଶ୍ରମ ଅଧିକାରୀ
ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକ୍ରେ ଥିବା ଲକ୍ଷାଧିକ ଶ୍ରମିକଙ୍କ ପୁନଃନବୀକରଣ ଓ ପଞ୍ଜୀକରଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମ ବିଭାଗରେ କର୍ମଚାରୀ ଅଭାବ ସମସ୍ୟାକୁ ଜଟିଳ କରିଛି। ଜଣେ ଜିଲ୍ଲା ଶ୍ରମ ଅଧିକାରୀ ଓ ୪ ଜଣ ସହକାରୀ ଶ୍ରମ ଅଧିକାରୀଙ୍କ ଭରସାରେ ବିଭାଗୀୟ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।
ମାସକ ଛୁଟିରେ ଜିଲ୍ଲା ଶ୍ରମ ଅଧିକାରୀ ଥିବା ବେଳେ ରାଜ୍ୟ ସରକାର ଅଚାନକ ଭାବେ ଆଉଟସୋର୍ସିଂରେ କାର୍ଯ୍ୟରତ ଜଣେ କଲ୍ୟାଣ ସଂଯୋଜକ ଓ ଜଣେ ଡିଇଓଙ୍କୁ ବାହାର କରିଦେଇଥିବାରୁ ପଞ୍ଜୀକରଣ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଅଧିକାରୀମାନେ ଦିନକୁ ୫୦ରୁ ଅଧିକ ଶ୍ରମିକଙ୍କ ପଞ୍ଜୀକରଣ କରୁଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ପଞ୍ଜୀକରଣ ଓ ନବୀକରଣ ପାଇଁ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ବସିବା ପାଇଁ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ମଧ୍ୟ ଉପଯୁକ୍ତ ନଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ସଂଯୋଗ କଟିଗଲେ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଉଥିବା ବେଳେ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ ଅଚଳ ହୋଇପଡ଼ୁଛି। ଇଣ୍ଟରନେଟ୍ ସଂଯୋଗ ନଥିବାରୁ ମୋବାଇଲ୍ ନେଟ୍ୱର୍କ ଉପରେ ନିର୍ଭର କରି କାମ ଚାଲୁଥିବା ଅଭିଯୋଗ ମଧ୍ୟ ରହିଛି।
ପଦବି ଖାଲି, କର୍ମଚାରୀ ଅଭାବ
ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ଶ୍ରମ ଆୟୁକ୍ତ ପଦବି ଖାଲି ପଡ଼ିଛି। ଦୁଇ ଜଣ ଜିଲ୍ଲା ଶ୍ରମ ଅଧିକାରୀ ରହିବା ସ୍ଥାନରେ ମାତ୍ର ଜଣେ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ସେହିପରି ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳରେ ୧୨ ଜଣ ସହକାରୀ ଶ୍ରମ ଅଧିକାରୀ ରହିବା ସ୍ଥାନରେ ମାତ୍ର ୪ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ଜଣେ ଜଣେ ଅଧିକାରୀଙ୍କୁ ୩ରୁ ୪ଟି ବ୍ଲକ୍ର ଦାୟିତ୍ୱ ତୁଲାଇବାକୁ ପଡ଼ୁଛି।
ପାପଡ଼ାହାଣ୍ଡି ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିଆ ନିଜ ବ୍ଲକ୍ ସହ ନବରଙ୍ଗପୁର ପୌରପାଳିକାର ଶ୍ରମିକ ପଞ୍ଜୀକରଣ କାର୍ଯ୍ୟ ମଧ୍ୟ ତୁଲାଉଥିବା ବେଳେ ଅଧିକାରୀ ଅଭାବରୁ ଅସୁବିଧା ହେଉଥିବା କୁହାଯାଇଛି।
ପୂର୍ବରୁ କଲ୍ୟାଣ ସଂଯୋଜକ ଓ ଡିଇଓମାନେ ଏହି କାମରେ ସହଯୋଗ କରୁଥିବାରୁ ସହକାରୀ ଶ୍ରମ ଅଧିକାରୀମାନେ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୁଚାରୁ ଭାବେ ତୁଲାଇପାରୁଥିଲେ। କିନ୍ତୁ ଏହି ଦୁଇ କର୍ମଚାରୀଙ୍କୁ ବାହାର କରିଦିଆଯିବା ପରେ କାର୍ଯ୍ୟାଳୟରେ କାମର ଚାପ ବଢ଼ିଥିବା ଅଭିଯୋଗ ହୋଇଛି।
ବିଦ୍ୟୁତ୍ ଓ ଇଣ୍ଟରନେଟ୍ ସମସ୍ୟା ବଢ଼ାଉଛି ଅସୁବିଧା
କାର୍ଯ୍ୟାଳୟରେ ଶୌଚାଳୟର ଅବସ୍ଥା ଖରାପ ଥିବା ସହ ସଫାସୁତୁରା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ହୋଇଛି। ବିଶ୍ରାମଗାରରେ ବାଇକ୍ ପାର୍କିଂ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବା ସମୟରେ ବିଦ୍ୟୁତ୍ ସଂଯୋଗ କଟିଗଲେ କାମ ଅର୍ଦ୍ଧାଧିକରେ ଅଟକି ରହୁଛି। ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ସଠିକ୍ ଭାବେ କାର୍ଯ୍ୟକ୍ଷମ ନଥିବା ଅଭିଯୋଗ ରହିଛି।
ଲକ୍ଷାଧିକ ଶ୍ରମିକଙ୍କ କାମ ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଆଉ ୪ ଜଣ ସହକାରୀ ଶ୍ରମ ଅଧିକାରୀଙ୍କ ମାଧ୍ୟମରେ ବିଭିନ୍ନ ଯୋଜନାରେ ଆବେଦନପତ୍ର ଯାଞ୍ଚ କରିବାକୁ ପଡ଼ୁଛି। ଏହା ଫଳରେ ଅଧିକାରୀମାନଙ୍କ ଉପରେ କାମର ଚାପ ବଢ଼ିଛି।
ଅଧିକାରୀ ଓ କର୍ମଚାରୀ ପଦବି ପୂରଣ ସହ କାର୍ଯ୍ୟାଳୟର ଭିତ୍ତିଭୂମି ସୁଧାରିବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଇଣ୍ଟରନେଟ୍ ବ୍ୟବସ୍ଥା କରିବା ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
