ରେଳ ଫାଟକ ଯୋଗୁଁ ଯାତାୟାତ ସମସ୍ୟା; ୬ ଗାଁବାସୀଙ୍କ ଦୁର୍ଦ୍ଦଶା ଦୂର ପାଇଁ ଦାବି
1 min read

ରେଳ ଫାଟକ ଯୋଗୁଁ ଯାତାୟାତ ସମସ୍ୟା; ୬ ଗାଁବାସୀଙ୍କ ଦୁର୍ଦ୍ଦଶା ଦୂର ପାଇଁ ଦାବି

ବୌଦ୍ଧ: ରେଳ ଫାଟକ ଯୋଗୁଁ ଯାତାୟାତରେ ସମସ୍ୟା ଭୋଗୁଥିବା ୬ଟି ଗାଁର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଆଗେଇ ଆସିଛି ଆମଗଡ଼ିଆ ବିକାଶ ପରିଷଦ। ଆମଗଡ଼ିଆ ପଞ୍ଚାୟତ ଅଧୀନ ଭଗବାନପୁର ଗାଁ ନିକଟ ରେଳ ଲାଇନ୍‌ଠାରେ ଗଳାପୋଲ ନିର୍ମାଣ କିମ୍ବା ଭଗବାନପୁର ଗାଁଠାରୁ ଉତ୍ତର ପାର୍ଶ୍ୱରେ ଥିବା ବାମଡ଼ା ରେଳ ଗେଟ୍‌ ପର୍ଯ୍ୟନ୍ତ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ପାଇଁ ଦାବି ହୋଇଛି।

ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ୟା ସମ୍ପର୍କରେ ରେଳ ବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ରେଳମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକଥର ଅବଗତ କରାଯାଇଛି। ତଥାପି ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ଭଗବାନପୁର ଗାଁ ଦେଇ ଆଖପାଖର ୬ଟି ଗାଁର ଲୋକେ ନିତିଦିନ ଯାତାୟାତ କରୁଛନ୍ତି। ହେଲେ ରେଳ ବିଭାଗ ପକ୍ଷରୁ ରାସ୍ତା ଅବରୋଧ କରାଯାଉଥିବାରୁ ଲୋକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏପରିକି ଜରୁରୀ ସମୟରେ ଆମ୍ବୁଲାନ୍ସ, ଦମକଳ ଓ ପୁଲିସ ଗାଡ଼ି ସମେତ ଅନ୍ୟାନ୍ୟ ଯାନବାହନ ମଧ୍ୟ ସହଜରେ ଯାତାୟାତ କରିପାରୁନଥିବା ଅଭିଯୋଗ ହୋଇଛି।

ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗଳାପୋଲ ନିର୍ମାଣ କିମ୍ବା ବାମଡ଼ା ରେଳ ଗେଟ୍‌ ପର୍ଯ୍ୟନ୍ତ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କରିବାକୁ ପରିଷଦ ଦାବି କରିଛି।

ଆମଗଡ଼ିଆ ବିକାଶ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର, ଉପଦେଷ୍ଟା ଚକ୍ରଧର ଆଚାର୍ଯ୍ୟ, ରଘୁପୁର ମଣ୍ଡଳ ବିଜେପି ସଭାପତି ଶାନ୍ତନୁ ପଣ୍ଡା ଓ ଆମଗଡ଼ିଆ ପଞ୍ଚାୟତ ବିଜେପି ସଭାପତି ମନୋରଞ୍ଜନ ଉପାଧ୍ୟାୟ ପ୍ରମୁଖ ବେତନଟୀଠାରେ ସାଂସଦ ଓ ବିଧାୟକଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ପ୍ରଦାନ ପରେ ମଧ୍ୟ ସମସ୍ୟାର ସମାଧାନ ନେଇ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ମିଳିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶା ପ୍ରକାଶ ପାଇଛି। ଶୀଘ୍ର ସମସ୍ୟାର ସମାଧାନ କରାଯାଇ ୬ଟି ଗାଁର ଲୋକଙ୍କ ପାଇଁ ସୁଗମ ଯୋଗାଯୋଗ ବ୍ୟବସ୍ଥା କରାଯିବ କି ନାହିଁ, ତାହାକୁ ଏବେ ଅପେକ୍ଷା।

Leave a Reply

Your email address will not be published. Required fields are marked *