ପାଣିକୋଇଲି ଛକ ପାଲଟିଛି ମୃତ୍ୟୁର ଛକ; ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ବଢୁଛି ଦୁର୍ଘଟଣା
1 min read

ପାଣିକୋଇଲି ଛକ ପାଲଟିଛି ମୃତ୍ୟୁର ଛକ; ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ବଢୁଛି ଦୁର୍ଘଟଣା

ଯାଜପୁର: ଦିନରାତି ଗାଡ଼ିର ଘୁଁ…ଘାଁ… ଶବ୍ଦ। ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ଯାଜପୁର ଜିଲ୍ଲାର ପାଣିକୋଇଲି ଛକ ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ସଂଗମସ୍ଥଳ ହୋଇଥିବାରୁ ଏହି ଛକ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରରୁ ମଧ୍ୟ ବହୁ ସଂଖ୍ୟାରେ ଗାଡ଼ି ଯାତାୟାତ କରୁଛି।

ପାଣିକୋଇଲି ଛକ ଦେଇ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କଟକ ଓ ଭୁବନେଶ୍ୱର ଆଦି ସହରକୁ ପ୍ରତିଦିନ ହଜାର ହଜାର ଭାରୀଯାନ, ବସ୍‌ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତ କରୁଛି। ହେଲେ ଏତେ ବ୍ୟସ୍ତ ଛକରେ ଟ୍ରାଫିକ୍‌ ପୋଷ୍ଟ କିମ୍ବା ପର୍ଯ୍ୟାପ୍ତ ଟ୍ରାଫିକ୍‌ ପୁଲିସ ବ୍ୟବସ୍ଥା ନଥିବାରୁ ଯାତାୟାତ ନିୟନ୍ତ୍ରଣ ଏକ ବଡ଼ ସମସ୍ୟା ପାଲଟିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବଡ଼ ଗାଡ଼ିଗୁଡ଼ିକ ନିୟମ ନମାନି ମନଇଚ୍ଛା ଚଳାଚଳ କରୁଥିବା ବେଳେ ରାସ୍ତାକଡ଼ରେ ଗାଡ଼ି ରଖିବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି। ଗତ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିବା ନେଇ ଚିନ୍ତା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତ ୧୦ ବର୍ଷରେ ପାଣିକୋଇଲି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ବେସରକାରୀ ଭାବେ ୩୭୫ ଜଣସରକାରୀ ଭାବେ ୧୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ତେବେ ଏହି ତଥ୍ୟକୁ ନେଇ ମଧ୍ୟ ଅଧିକ ସ୍ପଷ୍ଟତା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।

ସାମାଜିକ କର୍ମୀ ଓ ସ୍ଥାନୀୟ ବାସିନ୍ଦାମାନେ ପାଣିକୋଇଲି ଛକରେ ତୁରନ୍ତ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ସହ ଟ୍ରାଫିକ୍‌ ପୁଲିସ ନିୟୋଜନ ଦାବି କରିଛନ୍ତି। ଛକରେ ସିସିଟିଭି କ୍ୟାମେରା ଲଗାଇ ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।

ଅନ୍ୟପକ୍ଷରେ ଚଣ୍ଡିଖୋଲ, ଯାଜପୁର ରୋଡ୍‌, କଳିଙ୍ଗନଗର ଓ ପାଣିକୋଇଲିରେ ଟ୍ରାଫିକ୍‌ ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଥିବା ଦାବି ହୋଇଛି। ପାଣିକୋଇଲି ଛକରେ ଟ୍ରାଫିକ୍‌ ପୋଷ୍ଟ ଓ ଟ୍ରାଫିକ୍‌ ପୁଲିସ ଷ୍ଟେସନ୍‌ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଥିବା ମଧ୍ୟ କୁହାଯାଇଛି।

ସ୍ଥାନୀୟ ଲୋକଙ୍କ ଦାବି, ପାଣିକୋଇଲି ଛକରେ ତୁରନ୍ତ ଟ୍ରାଫିକ୍‌ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଦୁର୍ଘଟଣା ଆହୁରି ବଢ଼ିପାରେ।

Leave a Reply

Your email address will not be published. Required fields are marked *