କୋରାପୁଟରେ ଫିଟ୍‌ନେସ୍‌ ଓ ଇନ୍‌ସୁରାନ୍ସ ନଥାଇ ଚାଲୁଛି ଅଟୋ; ବିପଦରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା
1 min read

କୋରାପୁଟରେ ଫିଟ୍‌ନେସ୍‌ ଓ ଇନ୍‌ସୁରାନ୍ସ ନଥାଇ ଚାଲୁଛି ଅଟୋ; ବିପଦରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର, ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ଦାମନଯୋଡ଼ି ଅଞ୍ଚଳରେ ଫିଟ୍‌ନେସ୍‌ ଓ ଇନ୍‌ସୁରାନ୍ସ ନଥାଇ ବହୁ ସଂଖ୍ୟାରେ ଅଟୋ ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହା ଚିନ୍ତା ବଢ଼ାଇଛି।

ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଅନେକ ଛାତ୍ରଛାତ୍ରୀ ଅଟୋ ଯୋଗେ ଯାତାୟାତ କରୁଛନ୍ତି। ତେବେ ଅନେକ ଅଟୋରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିଆଯାଉଥିବା ଅଭିଯୋଗ ରହିଛି। କେତେକ ଅଟୋରେ ୧୨ରୁ ୧୫ ଜଣ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଭାବେ ନିଆଯାଉଥିବା କୁହାଯାଇଛି।

ସେହିପରି ବିଭିନ୍ନ ହାଟକୁ ବ୍ୟବସାୟୀ ଓ ଚାଷୀମାନେ ମଧ୍ୟ ଅଟୋରେ ଯାତାୟାତ କରୁଛନ୍ତି। ଗୋଟିଏ ଅଟୋରେ ୧୦ରୁ ଅଧିକ ଲୋକ ଓ ସାମଗ୍ରୀ ନେଇ ଯାତ୍ରା କରାଯାଉଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିଛି।

ଅଭିଯୋଗ ଅନୁସାରେ, ଅନେକ ଅଟୋର ଫିଟ୍‌ନେସ୍‌ ଓ ଇନ୍‌ସୁରାନ୍ସ ନଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ରାସ୍ତାରେ ଚଳାଚଳ କରୁଛି। ଅନେକ ଚାଳକଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଅଭିଯୋଗ ରହିଛି।

ଦୁର୍ଘଟଣାରେ ମୃତାହତଙ୍କୁ ଇନ୍‌ସୁରାନ୍ସ ବାବଦ ଅର୍ଥ ମିଳିବା ନେଇ ମଧ୍ୟ ସମସ୍ୟା ଉପୁଜୁଛି। ତେଣୁ ନିୟମ ଉଲ୍ଲଂଘନକାରୀ ଅଟୋ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଅଟୋଗୁଡ଼ିକର ନିୟମିତ ଯାଞ୍ଚ ଦାବି ହୋଇଛି।

ଫିଟ୍‌ନେସ୍‌ ଓ ବୈଧ ପଞ୍ଜୀକରଣ ପ୍ରମାଣପତ୍ର ବିନା ଚାଲୁଥିବା ଗାଡ଼ି ଜବତ କରିବା, ଅତ୍ୟଧିକ ଯାତ୍ରୀ ପରିବହନ ଉପରେ ରୋକ ଲଗାଇବା ଏବଂ ସ୍କୁଲ ଛାତ୍ରଛାତ୍ରୀ ପରିବହନ କରୁଥିବା ଅଟୋ ଉପରେ ସ୍ୱତନ୍ତ୍ର ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *