ନେପାଳ ବନ୍ୟାର ପ୍ରଭାବ ଭାରତରେ: ୟୁପି-ବିହାରରେ ହାଇ ଆଲର୍ଟ, ଖୋଲିଲା ବ୍ୟାରେଜ୍‌ର ୩୬ ଗେଟ୍
1 min read

ନେପାଳ ବନ୍ୟାର ପ୍ରଭାବ ଭାରତରେ: ୟୁପି-ବିହାରରେ ହାଇ ଆଲର୍ଟ, ଖୋଲିଲା ବ୍ୟାରେଜ୍‌ର ୩୬ ଗେଟ୍

କାଠମାଣ୍ଡୁ: ଚୀନ-ନେପାଳ ସୀମାନ୍ତ ତିବ୍ବତ ନିକଟରେ ହିମସ୍ଖଳନ ପରେ ନଦୀ ବନ୍ଧ ଭାଙ୍ଗିବା ଯୋଗୁ ନେପାଳରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟାର ପ୍ରଭାବ ଏବେ ଭାରତରେ ମଧ୍ୟ ଦେଖାଦେଇଛି। ବିଶେଷକରି ଉତ୍ତର ପ୍ରଦେଶ ଓ ବିହାରରେ ନଦୀଜଳ ବୃଦ୍ଧି ପାଇବାରୁ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି।

ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ଗଣ୍ଡକ ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ମହାରାଜଗଞ୍ଜରେ ନେପାଳରୁ ଜଳ ଆସୁଥିବା ଗଣ୍ଡକ, ଦରଜାନିଆ ଓ ଟେଲ୍‌ ଫଲ୍‌ ଚ୍ୟାନେଲ୍‌ର ସ୍ଥିତି ନିରୀକ୍ଷଣ କରାଯାଉଛି।

କୁଶୀନଗର ଜିଲ୍ଲାରେ ଜିଲ୍ଲାପାଳ ମହେନ୍ଦ୍ର ସିଂହ ତନୱାର ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ କେଶବ କୁମାର ବିପଦସଙ୍କୁଳ ଗ୍ରାମ ଏବଂ ବାଲ୍ମୀକିନଗର ବ୍ୟାରେଜ୍‌ ପରିଦର୍ଶନ କରିଛନ୍ତି। ନଦୀପଠାର ତଳି ଅଞ୍ଚଳରେ ଥିବା ଲୋକଙ୍କ ସମେତ ଗୋରୁଗାଈଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି।

ଗ୍ରାମବାସୀଙ୍କୁ ସତର୍କ କରିବା ପାଇଁ ଲାଉଡ୍‌ସ୍ପିକର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ନଦୀ ନିକଟକୁ ନଯିବା, ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଏବଂ ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ବିହାରରେ ମଧ୍ୟ ଗଣ୍ଡକ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବାଲ୍ମୀକିନଗର ବ୍ୟାରେଜ୍‌ର ସମସ୍ତ ୩୬ଟି ଗେଟ୍ ଖୋଲାଯାଇଛି। ରାତି ୮ଟାରେ ବ୍ୟାରେଜ୍‌ରୁ ଜଳ ନିଷ୍କାସନ ପରିମାଣ ପ୍ରାୟ ୧.୦୪ ଲକ୍ଷ କ୍ୟୁସେକ୍ ଥିବାବେଳେ ରାତି ୧୦ଟା ସୁଦ୍ଧା ଏହା ୧.୪୨ ଲକ୍ଷ କ୍ୟୁସେକ୍‌କୁ ବଢ଼ିଥିବା ସୂଚନା ମିଳିଛି।

ପରିସ୍ଥିତି ମୁକାବିଲା ପାଇଁ ଏସ୍‌ଡିଆର୍‌ଏଫ୍‌, ପୁଲିସ ଓ ପିଏସି ବାହିନୀକୁ ଉଦ୍ଧାର ସରଞ୍ଜାମ ସହ ମୁତୟନ କରାଯାଇଛି। ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି। ନେପାଳରୁ ଆସୁଥିବା ଜଳପ୍ରବାହ ଉପରେ ନଜର ରଖି ଆଗାମୀ ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।

Leave a Reply

Your email address will not be published. Required fields are marked *