୫ ହାଇବ୍ରିଡ୍ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଏକ ମିଳିତ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଉଦ୍ଧାର କରାଯାଇଛି। କୁଲଗାମ ପୋଲିସ, ୯ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୮ ବାଟାଲିୟନ CRPF ଦ୍ୱାରା ମିଳିତ ଭାବରେ ଏହି ଅଭିଯାନ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ବୁଗମ ଅର୍ଚାର୍ଡ ଅଞ୍ଚଳରେ ମିଳିତ ଅଭିଯାନ ସଫଳତାର ସହ ସମାପ୍ତ ହୋଇଥିଲା। ମିଳିତ ବାହିନୀ ଚାରୋଟି ୯ ଏମଏମ ପିସ୍ତଲ, ଚାରୋଟି ମ୍ୟାଗାଜିନ୍, ୨୨ ରାଉଣ୍ଡ ଗୁଳି ଏବଂ ଦୁଇଟି ହାଣ୍ଡ ଗ୍ରେନେଡ୍ ଜବତ କରିଛି। ଜବତ କରାଯାଇଥିବା ହତିଆର ଓ ଗୋଳା ବାରୁଦର ଯାଞ୍ଚ କରାଯିବା ପରେ ଏହାକୁ ହେପାଜତକୁ ନିଆଯାଇଛି। ଗିରଫ କରାଯାଇଥିବା ସନ୍ଦିଗ୍ଧଙ୍କଠାରୁ ତାଙ୍କ ସହଯୋଗୀଙ୍କ ସମ୍ପର୍କରେ ଅଧିକ ତଥ ଜାଣିବାକୁ ଚେଷ୍ଟା କରାଯାଉଛି।