ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ପ୍ରବଳ ବର୍ଷା
1 min read

ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ୱର, ୧୯/୮: ଲଗାତାର ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ରୁ ୨୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଅବପାତ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଅନେକ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି।

ଆସନ୍ତା ୨୪ ଘଣ୍ଟା ଏଭଳି ପାଗ ଜାରି ରହିପାରେ। ତେବେ ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ୨୨ ତାରିଖରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ୧୫ଟି ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷାପବନ ହୋଇପାରେ। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି ହୋଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିପାରେ। ଲଗାତାର ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଭୋଗୁଥିବା ଅଞ୍ଚଳଗୁଡ଼ିକରେ ନୂଆ ଲଘୁଚାପ ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *