ଲଣ୍ଡନରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟରଙ୍କୁ ସମ୍ମାନ
1 min read

ଲଣ୍ଡନରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟରଙ୍କୁ ସମ୍ମାନ

ଲଣ୍ଡନ: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ବ ଲଣ୍ଡନର ଚିଲିକା ରେସ୍ତୋରାଁ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଛି।

ଭାରତୀୟ ପରମ୍ପରା ଅନୁଯାୟୀ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା। ବ୍ରିଟେନ୍‌ରେ ରହୁଥିବା ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଏକାଠି ହୋଇ ଖେଳାଳିଙ୍କ ସହ ଖୁସି ବାଣ୍ଟିବା ସହ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳର ଏକାଧିକ ଖେଳାଳିଙ୍କ ସହ ଦଳର ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍‌ ଓ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦ (DCCI)ର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଆଇଆର୍‌ଇଡିଏର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାସଙ୍କ ସମେତ ଅନେକ ଭାରତୀୟ ସମୁଦାୟର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

ଚିଲିକା ରେସ୍ତୋରାଁର ପ୍ରତିଷ୍ଠାତା ପାର୍ଥ ସାରଥୀ ପଣ୍ଡା ଓ ଶୁଭକାନ୍ତ ଦାସଙ୍କ ଉଦ୍ୟମରେ ଏହି ସମାରୋହ ଆୟୋଜିତ ହୋଇଥିଲା। ନିର୍ଦ୍ଦେଶିକା ଦେବସ୍ମିତା ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଓଡ଼ିଶାର ବ୍ରିଟିଶ୍ ଉଦ୍ୟୋଗୀ ତଥା ନିବେଶକ କ୍ୟାପଟେନ୍ ଅରୁଣ କର ରଣନୈତିକ ସହଯୋଗ ପ୍ରଦାନ କରିଥିଲେ।

ଆୟୋଜକଙ୍କ କହିବାନୁସାରେ, ଏହା କେବଳ ଏକ ଭୋଜି କାର୍ଯ୍ୟକ୍ରମ ନଥିଲା; ବରଂ ଖେଳାଳିଙ୍କ ସାହସ ଓ ପରିଶ୍ରମକୁ ସମ୍ମାନ ଦେବା ସହ ସେମାନଙ୍କୁ ଆତ୍ମୀୟତା ଓ ଉତ୍ସାହ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Leave a Reply

Your email address will not be published. Required fields are marked *