ବନ୍ଦେ ମାତରମ୍କୁ ନେଇ କଂଗ୍ରେସର ବଡ଼ ନିଷ୍ପତ୍ତି, ୧୯୩୭ ଆଭିମୁଖ୍ୟ ଦୋହରାଇଲା ଦଳ
ନୂଆଦିଲ୍ଲୀ, ୧୯ା୮: ‘ବନ୍ଦେ ମାତରମ୍’କୁ ନେଇ ରାଜନୈତିକ ବିତର୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ବୁଧବାର ହୋଇଥିବା ବୈଠକରେ ଦଳ ୧୯୩୭ ମସିହାର ନିଷ୍ପତ୍ତିକୁ ଆଧାର କରି ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାନ କରିବା ନେଇ ନିଷ୍ପତ୍ତି ନେଇଛି।
ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ୧୯୩୭ରେ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ଗୃହୀତ ହୋଇଥିଲା। ସେତେବେଳେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦଙ୍କ ସମେତ ଅନେକ ବରିଷ୍ଠ ନେତା CWC ବୈଠକରେ ଉପସ୍ଥିତ ଥିଲେ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସେହି ସମୟର ସଂକଳ୍ପର କିଛି ଅଂଶ ବୈଠକରେ ପଢ଼ିଥିଲେ। ଦଳର କହିବା ଅନୁସାରେ, ‘ବନ୍ଦେ ମାତରମ୍’କୁ ନେଇ କଂଗ୍ରେସର କୌଣସି ବିବାଦ ନାହିଁ, ତେବେ ଏହାକୁ ନେଇ ଅନାବଶ୍ୟକ ରାଜନୈତିକ ବିତର୍କ ସୃଷ୍ଟି କରାଯାଉଛି।
୧୯୫୦ ଜାନୁଆରୀ ୨୪ରେ ସମ୍ବିଧାନ ସଭାର ଶେଷ ବୈଠକରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ‘ଜନ ଗଣ ମନ’କୁ ଜାତୀୟ ସଙ୍ଗୀତ ଏବଂ ‘ବନ୍ଦେ ମାତରମ୍’କୁ ଜାତୀୟ ଗୀତ ଭାବେ ମାନ୍ୟତା ଦେବା କଥା ଉଲ୍ଲେଖ କରିଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏହି CWC ବୈଠକରେ ଆଗାମୀ ସୀମାନିର୍ଦ୍ଧାରଣ ପ୍ରସଙ୍ଗରେ ମଧ୍ୟ ଦଳ ନିଜର ମତ ରଖିଛି। କଂଗ୍ରେସ ଲୋକସଭାର ଆସନ ସଂଖ୍ୟା ବୃଦ୍ଧିକୁ ଆବଶ୍ୟକ ମନେ କରୁନାହିଁ ଏବଂ ସଂସଦର ନିମ୍ନ ସଦନରେ ମୋଟ ଆସନ ସଂଖ୍ୟା ୫୪୩ରେ ସୀମିତ ରଖିବାକୁ ଦଳ ପକ୍ଷରୁ ମତ ଦିଆଯାଇଛି।