ଦେବୀ ନଦୀ ପାଣିରେ ଭାସିଗଲା ଅସ୍ତରଙ୍ଗ ଚାଷୀଙ୍କ ଆଶା; ଋଣ ବୋଝ ତଳେ ଚାପି ହେଲେ କୃଷକ
ଅସ୍ତରଙ୍ଗ, ୦୨/୦୮: ପାଣି ଛାଡି ଗଲା। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗର ମାଟିରୁ କୋହ ସରିଲା ନାହିଁ। ହୀରାକୁଦର ଗେଟ ଖୋଲିବା ପରେ ମହାନଦୀ ଯେଉଁ ରୌଦ୍ର ରୂପ ଧରିଥିଲା, ତାର କୋପ ଏବେ ଦେବୀ ନଦୀର କୂଳରେ ବାସ କରୁଛି। ଶାଖା ଦେବୀରୁ ପ୍ରଭାହିତ ହୋଇ ଆସିଥିବା ସେହି ପାଣି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଖଣ୍ଡାସାହି, ଓସ୍ତପୁର ଆଉ ଓସିଆ ଗାଁର ସବୁଜ ସ୍ୱପ୍ନକୁ ଗୋଟିଏ ରାତିରେ ନିଶ୍ୱେଷ କରିଦେଇଛି।ନଦୀ ବନ୍ଧ ପାଖରେ ହେକ୍ଟର ହେକ୍ଟର ଜମି ଥିଲା ଚାଷୀଙ୍କ ଜୀବନ। ଭେଣ୍ଡି, କଲରା, ପୋଟଳ, ବାଇଗଣ, କଞ୍ଚା ଲଙ୍କା ଆଉ କଖାରୁ ରେ ଲକ୍ଷ ଲକ୍ଷ ଟଙ୍କା ଲଗାଇଥିଲେ। ଦିନ ରାତି ଖଟି ପରିଶ୍ରମର ଫସଲ ବଡ କରିଥିଲେ। ଆଉ କିଛି ଦିନ ପରେ ବଜାର, ତା ପରେ ଋଣ ମୁକୁଳିବା, ପିଲାଙ୍କ ପାଠ ପଢା – ଏତିକି ଆଶା ଥିଲା।
ଆଜି ସେ ଆଶା କାଦୁଅ ହୋଇଯାଇଛି। ପାଣି ଛାଡିବା ପରେ ଯେଉଁଠି ସବୁଜ ଥିଲା, ସେଠି ଏବେ କେବଳ ପଚା ଗନ୍ଧ। ଗଛ ମୁଣ୍ଡ ତଳକୁ ଝୁଲି ପଡିଛି। ଭେଣ୍ଡି ପଚି ଯାଇଛି, କଲରା ସଡି ଯାଇଛି, ଲଙ୍କା ଗଛ କଳା ପଡିଯାଇଛି। ଦୂରୁ ଦେଖିଲେ ଲାଗୁଛି ମୃତ୍ୟୁ ନିଜେ ଆସି କ୍ଷେତ ଉପରେ ଚାଦର ପକାଇ ଦେଇଛି। ଚାଷୀ ଏବେ ଦୁଇ ପଟୁ ଛିଣ୍ଡି ହେଉଛି। ଆଗରେ ଖାଲି କ୍ଷେତ, ପଛରେ ଋଣର ପାହାଡ। ବିହନ, ସାର, ଔଷଧ ଆଉ ଲୋକ ଲଗାଇବା ପାଇଁ ଯେଉଁ ଟଙ୍କା ଧାର କରିଥିଲେ, ତାକୁ ସୁଝିବ କେମିତି? ରାତି ହେଲେ ଆଖିରୁ ନିଦ ଉଡିଯାଉଛି।
ଚାଷୀ ଶଶୀଭୂଷଣ ଜେନା କହିଛନ୍ତି “ଦୁଇ ଏକର ଭେଣ୍ଡି ଆଉ କଲରା ଥିଲା। ଋଣ କରି ସାର ଆଣିଥିଲୁ। ଆଜି ସବୁ ପଚିଗଲା। ଘରେ ଚାଉଳ ନାହିଁ। ମହାଜନ ଆସି ଠିଆ ହେଉଛି। ସରକାର ହାତ ନଧରିଲେ ଆମେ କେଉଁଠି ଯିବୁ? ବଞ୍ଚିବାର ରାସ୍ତା ଦେଖୁନୁ।”ଚାଷୀ ବନମାଳୀ ସେଠୀ ଙ୍କ ଆଖିରୁ ଲୁହ ସୁଖୁନି। ସେ କହିଛନ୍ତି “ବ୍ଲକରେ ସାର ମିଳେନି। ବାଧ୍ୟ ହୋଇ କଳାବଜାରରୁ ଦୁଇ ଗୁଣା ଦାମରେ କିଣିଲୁ। ଭାବିଲୁ ଏଥର ଭଲ ଫସଲ ହେବ। କିନ୍ତୁ ପାଣି ସବୁ ନେଇଗଲା। ଆଜି ପର୍ଯ୍ୟନ୍ତ କୃଷି ଅଧିକାରୀ ଆସିଲେ ନାହିଁ। କ୍ଷତି ମାପିବ କିଏ? ଆମକୁ କିଏ ପଚାରୁଛି?””ତୁରନ୍ତ ସର୍ଭେ କର। ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସ୍ପେସିଆଲ ପ୍ୟାକେଜ ଦିଅ। ନହେଲେ ଅସ୍ତରଙ୍ଗର ଏହି ସବୁଜ ଅଂଚଳ ଆଉ କେବେ ମୁଣ୍ଡ ଟେକି ପାରିବ ନାହିଁ।”କୃଷି ବିଭାଗ କହୁଛି ୩ ଦିନରେ ରିପୋର୍ଟ ଯିବ। କିନ୍ତୁ ଚାଷୀ ପଚାରୁଛି, “କାଗଜରେ ରିପୋର୍ଟ ହେବ, କିନ୍ତୁ ଆମ ପେଟର ନିଆଁ କେବେ ଲିଭିବ? ଆମ ପିଲାଙ୍କ ଭବିଷ୍ୟତର ହିସାବ କିଏ ଦେବ?”ବନ୍ୟା ଛାଡିଯାଇଛି ସତ। କିନ୍ତୁ ଛାଡିଯାଇଛି ହଜାର ହଜାର ଭାଙ୍ଗିଯାଇଥିବା ସ୍ୱପ୍ନ। ଅସ୍ତରଙ୍ଗର ଏହି ମାଟି ଆଜି ଆଉ ମାଟି ନୁହେଁ, ଏହା ଚାଷୀର ଲୁହରେ ଓଦା ହୋଇଥିବା ଗୋଟେ ଦୀର୍ଘ ଶୋକ ଗାଥା
