ଫିଫା ବିଶ୍ୱକପ୍ ଫାଇନାଲ୍ ୨୦୨୬! ଫାଇନାଲରେ ଆର୍ଜେଣ୍ଟିନା-ସ୍ପେନ୍ ମହାମୁକାବିଲା
ନ୍ୟୁୟର୍କ, ଜୁଲାଇ ୧୬ (ପ୍ରଜାତନ୍ତ୍ର ଡେଲି): ୨୦୨୬ ଫିଫା ବିଶ୍ୱକପ୍ର ଫାଇନାଲ୍ ଲାଇନ୍-ଅପ୍ ସ୍ପଷ୍ଟ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଏବଂ ୟୁରୋପିଆନ୍ ଚାମ୍ପିଅନ୍ ସ୍ପେନ୍ ମଧ୍ୟରେ ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ମହାମୁକାବିଲା ହେବ।
ସେମିଫାଇନାଲରେ ଆର୍ଜେଣ୍ଟିନା ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ପହଞ୍ଚିଥିଲା। ଅନ୍ୟପଟେ ସ୍ପେନ୍ ଶକ୍ତିଶାଳୀ ଫ୍ରାନ୍ସକୁ ୨-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ସ୍ପେନ୍ ବଲ୍ ଦଖଲ, ସଠିକ୍ ପାସିଂ ଓ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଫ୍ରାନ୍ସକୁ କୌଣସି ସୁଯୋଗ ଦେଇନଥିଲା।
ଗ୍ରୁପ୍ ପର୍ଯ୍ୟାୟରେ ସ୍ପେନ୍ କିଛିଟା ଧୀର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରିଥିଲା। ନକ୍-ଆଉଟ୍ ପର୍ଯ୍ୟାୟରେ ଅଷ୍ଟ୍ରିଆ, ପର୍ତ୍ତୁଗାଲ୍ ଓ ବେଲଜିୟମକୁ ପରାସ୍ତ କରି ଦଳ ଫାଇନାଲ୍ ଟିକେଟ୍ ହାସଲ କରିଛି।
୨୦୧୦ ପରେ ପ୍ରଥମଥର ପାଇଁ ସ୍ପେନ୍ ବିଶ୍ୱକପ୍ ଫାଇନାଲ୍ ଖେଳିବାକୁ ଯାଉଥିବାବେଳେ, ଆର୍ଜେଣ୍ଟିନା ଲଗାତାର ଦ୍ୱିତୀୟ ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଫୁଟବଲ୍ ପ୍ରେମୀଙ୍କ ନଜର ଏବେ ଏହି ମହାମୁକାବିଲା ଉପରେ ରହିଛି, ଯେଉଁଠାରେ ବିଶ୍ୱ ଚାମ୍ପିଅନ୍ କିଏ ହେବ ତାହାର ଫଇସଲା ହେବ।
