‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲା: ଓଡ଼ିଶା ହାଇକୋର୍ଟଙ୍କ ରୋକ ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ନିର୍ମାତା
ନୂଆଦିଲ୍ଲୀ/ପୁରୀ, ଜୁଲାଇ ୧୬ (ଉଦୟ): ଭଗବାନ ଶ୍ରୀଜଗନ୍ନାଥଙ୍କ ଜୀବନ ଉପରେ ଆଧାରିତ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ‘ ର ମୁକ୍ତିକୁ ନେଇ ଆଇନଗତ ବିବାଦ ଜୋର ଧରିଛି। ଜୁଲାଇ ୧୭ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇବା ପରେ ନିର୍ମାତା ପକ୍ଷ ସୁପ୍ରିମକୋର୍ଟର ଶରଣାପନ୍ନ ହୋଇଛନ୍ତି।
ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ, ଏହା ମୁଖ୍ୟତଃ ଶିଶୁମାନଙ୍କ ପାଇଁ ପ୍ରସ୍ତୁତ ଏକ ଆନିମେଟେଡ୍ ଚଳଚ୍ଚିତ୍ର ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ପକ୍ଷରୁ ମଧ୍ୟ ଆଇନ ଅନୁଯାୟୀ ପ୍ରମାଣପତ୍ର ମିଳିସାରିଛି।
ଆବେଦନରେ ନିର୍ମାତା ପକ୍ଷ ଦର୍ଶାଇଛନ୍ତି ଯେ, ଫିଲ୍ମଟି ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ଦେଶର ୩୦୦ରୁ ଅଧିକ ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାର ଯୋଜନା ରହିଛି। ମୁକ୍ତିର ଠିକ୍ ପୂର୍ବରୁ ଜାରି ହୋଇଥିବା ରୋକ ଆଦେଶ ନିର୍ମାତାଙ୍କୁ ବଡ଼ କ୍ଷତି ପହଞ୍ଚାଇପାରେ ବୋଲି ସେମାନେ ଦାବି କରିଛନ୍ତି।
ତେବେ ମୁଖ୍ୟ ବିଚାରପତି ସେହିଦିନ ତୁରନ୍ତ ଶୁଣାଣି ପାଇଁ ରାଜି ହୋଇନଥିଲେ। ସେ କହିଥିଲେ ଯେ, ମାମଲାର ଗୁରୁତ୍ୱକୁ ବିଚାର କରି ପରଦିନ ଏହାର ଶୁଣାଣି କରାଯିବ।
ଅନ୍ୟପଟେ, ଜୁଲାଇ ୧୫ରେ ଓଡ଼ିଶା ହାଇକୋର୍ଟ ଫିଲ୍ମର ମୁକ୍ତି ଉପରେ ଅନ୍ତରୀଣ ରୋକ ଲଗାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଫିଲ୍ମର କିଛି ଦୃଶ୍ୟ ଓ କାହାଣୀ ଶ୍ରୀଜଗନ୍ନାଥ ପରମ୍ପରା ଏବଂ ଧାର୍ମିକ ଭାବାବେଗ ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ଆପତ୍ତି ଉଠାଯାଇଥିଲା। ଶୁଣାଣି ସମୟରେ ଅଦାଲତ ମତ ଦେଇଥିଲେ ଯେ, ମତପ୍ରକାଶର ସ୍ୱାଧୀନତା ସାମ୍ବିଧାନିକ ଅଧିକାର ହୋଇଥିଲେ ମଧ୍ୟ ତାହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାର କାରଣ ହୋଇପାରିବ ନାହିଁ।
ସୂଚନାଯୋଗ୍ୟ ଯେ, ଫିଲ୍ମର ଟିଜର ମୁକ୍ତି ପରଠାରୁ କିଛି ଭକ୍ତ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହାର କିଛି ଉପସ୍ଥାପନାକୁ ନେଇ ଆପତ୍ତି ଉଠାଯାଇଥିଲା। ଏବେ ସୁପ୍ରିମକୋର୍ଟର ଆଗାମୀ ଶୁଣାଣି ଉପରେ ଫିଲ୍ମର ମୁକ୍ତି ନିର୍ଭର କରିବ।
