କାକଟପୁର-ଅସ୍ତରଙ୍ଗରେ ଖୁଲମଖୁଲା ରାଜ୍: ଅବକାରୀ ନିୟମକୁ ବୁଢା ଆଙ୍ଗୁଳି ଦେଖାଉଛନ୍ତି ମଦ ବ୍ୟବସାୟୀ !
ଅସ୍ତରଙ୍ଗ, ୧୬|୦୭: ସରକାରୀ ନିୟମ କେବଳ ଫାଇଲରେ। ବାସ୍ତବରେ ଚାଲିଛି ମଦ ବ୍ୟବସାୟୀ ଙ୍କ ରାଜ୍।ପୁରୀ ଜିଲ୍ଲା ନିମାପଡା ଅବକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକର ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକ ଏବେ ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବ୍ୟବସାୟ କରୁଛନ୍ତି। ଫଳରେ ଗ୍ରାହକଙ୍କୁ ଲୁଟୁଛନ୍ତି ଆଉ ସରକାରୀ ଖଜଣା ଖାଲି ହେଉଛି।
ଅବକାରୀ ଆଇନ ଅନୁଯାୟୀ କୌଣସି ଦୋକାନୀ ଏମ୍ ଆର ପି ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ। ଦୋକାନ ବାହାରେ ରେଟ୍ ଲିଷ୍ଟ ଟାଙ୍ଗିବା ବାଧ୍ୟତାମୂଳକ। ପ୍ରତି ଗ୍ରାହକଙ୍କୁ କମ୍ପ୍ୟୁଟର ବିଲ୍ ଦେବାକୁ ପଡିବ। ବିକ୍ରି ହେଉଥିବା ସମସ୍ତ ମଦ ସରକାରୀ ୱେୟାର ହାଉସରୁ ଆସିଥିବା ଦରକାର ଏବଂ ତାହା ଷ୍ଟକ ରେଜିଷ୍ଟର ରେ ଲେଖା ହେବା ଦରକାର।
କିନ୍ତୁ ବାସ୍ତବତା କିଛି ନାହିଁ। କାକଟପୁର ଓ ଅସ୍ତରଙ୍ଗର ଅଧିକାଂଶ ଦୋକାନରେ ଏକାବେଳେ ସବୁ ନିୟମ ଉଲଙ୍ଘନ ହେଉଛି। ଏମ୍ ଆର ପି ରେ ଲୁଟ ଗ୍ରାହକଙ୍କଠୁ ବୋତଲ ପିଛା ୧୦ ରୁ ୨୦ ଟଙ୍କା ଅଧିକ ନିଆଯାଉଛି। ପଚାରିଲେ କୁହନ୍ତି “ସବୁଠି ଏମିତି ହିଁ ବିକ୍ରି ହେଉଛି।”
ଗ୍ରାହକ ଟଙ୍କା ଦେଇ ମଦ ନେଉଛନ୍ତି କିନ୍ତୁ ବିଲ୍ ମାଗିଲେ ଦୋକାନୀ କଟ୍ ମାରୁଛନ୍ତି। ରସିଦ ନ ଥିବାରୁ ସରକାର ଟିକସ ବି ପାଉନାହାନ୍ତି। ଦୋକାନରେ ଷ୍ଟକ ରେଜିଷ୍ଟର କି ସେଲସ ରେଜିଷ୍ଟର ଠିକରେ ଅପଡେଟ୍ ହେଉନାହିଁ। ଅବକାରୀ ଅଧିକାରୀ ଆସିଲେ ବି ତାହା ଯାଞ୍ଚ କରୁନାହାନ୍ତି।
ଅସ୍ତରଙ୍ଗ ବଜାରରେ ଥିବା ତ୍ରିଭୁଜ ଆକୃତି ମଦ ଦୋକାନ ସମେତ ଅନେକ ଦୋକାନୀ ଏବେ ଖୁଲମଖୁଲା ଗ୍ରାମାଞ୍ଚଳରେ ମଦ ଚାଲାଣ କରୁଛନ୍ତି। ସ୍କୁଟିରେ ଥାନା ସାମ୍ନା ଦେଇ କୋଚିଆଙ୍କ ପାଖକୁ ମଦ ଯାଉଛି। ନାମ ଗୋପନ ରଖି ଜଣେ ଗ୍ରାହକ ଅଭିଯୋଗ କଲେ, “ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ବେଆଇନ କାରଖାନାରୁ ମଦ ଆଣି ଏଠାରେ ବିକ୍ରି ହେଉଛି। ବଜାର ଦର ଠାରୁ ୫୦ ପ୍ରତିଶତ ଶସ୍ତାରେ ଦୋକାନକୁ ଆସୁଛି। ତେଣୁ ତାହାକୁ ଷ୍ଟକରେ ଉଠାଯାଉ ନାହିଁ।”
ଏହାର ଅର୍ଥ ସ୍ପଷ୍ଟ – ନକଲି ମଦ ବିକ୍ରି ହୋଇ ଲୋକଙ୍କ ଜୀବନ ସହ ଖେଳ ହେଉଛି ଏବଂ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।
ଅବକାରୀ ବିଭାଗ କ’ଣ କରୁଛି?କିଛି ନାହିଁ। ନିମାପଡାରୁ ଆସୁଥିବା ଅବକାରୀ ଟିମ୍ କେବଳ ଲୋକ ଦେଖାଣିଆ ଯାଞ୍ଚ କରୁଛି। ଷ୍ଟକ ରେଜିଷ୍ଟର, ସେଲସ ରେଜିଷ୍ଟର, ରେଟ୍ ଲିଷ୍ଟ କିଛି ଯାଞ୍ଚ ହେଉନାହିଁ। ଯାଞ୍ଚ ପୂର୍ବରୁ ଖବର ଲିକ୍ ହୋଇଯାଉଥିବାରୁ ଦୋକାନୀମାନେ ପୂର୍ବରୁ ସବୁ ସେଟିଂ କରି ରଖୁଛନ୍ତି।
ଏ ସମ୍ପର୍କରେ ଅବକାରୀ ଅଧିକାରୀ କହିଛନ୍ତି , “ଗ୍ରାହକଙ୍କୁ ରସିଦ ସହ ସରକାରୀ ଦର ରେ ମଦ ଦେବାକୁ କୁହାଯାଇଛି। ଅନ୍ୟ ଅଭିଯୋଗ ତଦନ୍ତ ହେବ।”
କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବି ହେଲା – ନିମାପଡା ଅବକାରୀ ବିଭାଗକୁ ବିଶ୍ୱାସରେ ନେଇ ରାଜ୍ୟ ସ୍ତର ରୁ ଏକ ଉଚ୍ଚସ୍ତରୀୟ ଟିମ୍ ଆସି ଅଚାନକ ଚଢାଉ କଲେ ହିଁ ଅସଲି ଖେଳ ଖୋଲିବ। ନଚେତ୍ ଏହି ମଦ ବ୍ୟବସାୟୀ ମାନେ ସରକାରୀ ନିୟମକୁ ଏମିତି ବୁଢା ଆଙ୍ଗୁଳି ଦେଖାଇ ଚାଲିବେ ଆଉ ଜନତା ଲୁଟ୍ ହେବେ।
