କେନ୍ଦ୍ରାପଡ଼ା, ୧୧୵୭(ଉଦୟ): ବିଲରେ ପଶି ଧାନ ତଳି ଖାଇଯିବା ଭଳି ଏକ ସାଧାରଣ କଥାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅମାନୁଷିକ କାଣ୍ଡ। ବିଲରେ ଷଣ୍ଢ ପଶିବାରୁ ଉତ୍କ୍ଷିପ୍ତ ହୋଇ ଜଣେ ଅବସରପ୍ରାପ୍ତ ସୈନିକ ଗୋଟିଏ ଷଣ୍ଢକୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଷଣ୍ଢକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି। ଏହି ଘଟଣାରେ ପୋଲିସ ତପ୍ତରତା ଦେଖାଇ ଅଭିଯୁକ୍ତ ପୂର୍ବତନ ସୈନିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଉତ୍ତ୍ୟକ୍ତ ହୋଇ ଶାବଳ ଓ କଟୁରିରେ ଆକ୍ରମଣ
ସୂଚନା ଅନୁଯାୟୀ, ରାଜନଗର ଥାନା ଅନ୍ତର୍ଗତ ଅମଣାପାରି ଗ୍ରାମର ଦିବାକର ମଲ୍ଲିକ ସେନାବାହିନୀରୁ ଅବସର ନେବା ପରେ ଗାଁରେ ରହି ଚାଷବାସ କରୁଛନ୍ତି। ନିକଟସ୍ଥ ମଧୁପୁର ମୌଜା ବିଲରେ ସେ ଧାନ ତଳି ପକାଇଥିଲେ। ତେବେ ଗୁରୁବାର ଦିନ ଦୁଇଟି ଷଣ୍ଢ ସେହି ବିଲରେ ପଶି ତଳି ଖାଇଦେଇଥିଲେ। ଏଥିରେ ଚିଡ଼ିଯାଇ ଦିବାକର ହିତାହିତ ଜ୍ଞାନ ହରାଇ ବସିଥିଲେ। ସେ ପ୍ରଥମେ ଏକ ଶାବଳ (ଖଣତି) ଆଣି ଦୁଇଟି ଯାକ ଷଣ୍ଢଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ। ଏତିକିରେ ତାଙ୍କ ମନ ଶାନ୍ତ ନହେବାରୁ ସେ ଏକ ଧାରୁଆ କଟୁରିରେ ଗୋଟିଏ ଷଣ୍ଢକୁ ହାଣି ପକାଇଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିଲା। ଅନ୍ୟ ଷଣ୍ଢଟି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି।
ଗ୍ରାମରେ ତୀବ୍ର ପ୍ରତିକ୍ରିୟା, ଅଭିଯୁକ୍ତ କୋର୍ଟ ଚାଲାଣ
ଜଣେ ଅବସରପ୍ରାପ୍ତ ଯବାନଙ୍କ ଏଭଳି ନିଷ୍ଠୁର କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବିବେକାନନ୍ଦ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ରାଜନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନମ୍ବର ୨୬୮/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରାଜନଗର ଥାନା ଆଇଆଇସି ନରେଶ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦିବାକର ମଲ୍ଲିକଙ୍କୁ ଗିରଫ କରିଛି। ଏହା ସହ ଅପରାଧରେ ବ୍ୟବହୃତ ହୋଇଥିବା ଶାବଳ ଓ କଟୁରିକୁ ଜବତ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ, ମୃତ ଷଣ୍ଢର ଶବ ବ୍ୟବଚ୍ଛେଦ କରାଯିବା ପରେ ମଧୁପୁର ଛକ ନିକଟରେ ତାକୁ ପୋତି ଦିଆଯାଇଛି।






Leave a Reply