ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଟପ୍‌-୬ରେ ଓଡ଼ିଶାର ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୧୦ା୭ (ଉଦୟ): ଜାତୀୟ ସଙ୍ଗୀତ ମଞ୍ଚରେ ପୁଣି ଚମକିଲେ ଓଡ଼ିଶାର କନ୍ୟା। ଜାତୀୟ ସ୍ତରର ଅତ୍ୟନ୍ତ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜର ଦମ୍‌ଦାର ପରଫର୍ମାନ୍ସ ବଳରେ ସେ ଶୋ’ର ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀଙ୍କ (Top-6) ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଦର୍ଶକ ଓ ବିଚାରକଙ୍କ ମନ ଜିଣିଲେ ଜ୍ୟୋତିର୍ମୟୀ

ଓଲିଉଡ୍ ସଙ୍ଗୀତ ଜଗତରେ ପୂର୍ବରୁ ନିଜର ସୁମଧୁର ସ୍ୱର ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟୋତିର୍ମୟୀ ଏବେ ଜାତୀୟ ସ୍ତରରେ ମଧ୍ୟ ବେଶ୍ ପ୍ରଶଂସା ସାଉଁଟୁଛନ୍ତି। ତାଙ୍କର ଚମତ୍କାର ଗାୟନ ଶୈଳୀ ଶୋ’ର ବିଚାରକଙ୍କ ସହ ଦେଶର କୋଣ ଅନୁକୋଣର ଦର୍ଶକଙ୍କୁ ବିମୋହିତ କରିଛି। ଆସନ୍ତା କିଛି ଦିନ ମଧ୍ୟରେ ଏହି ମେଗା ଶୋ’ର ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହେବାକୁ ଥିବାବେଳେ, ଜ୍ୟୋତିର୍ମୟୀଙ୍କୁ ନେଇ ସାରା ଓଡ଼ିଶାରେ ଏବେ ଉତ୍ସାହ ଓ ଆଶାର ମାହୋଲ ଦେଖିବାକୁ ମିଳିଛି।

ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଜ୍ୟୋତିର୍ମୟୀଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବର ଟ୍ୱିଟର) ଜରିଆରେ ଗଭୀର ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ପ୍ରତିଷ୍ଠିତ ସଙ୍ଗୀତ ମହାମଞ୍ଚ ‘ଇଣ୍ଡିଆନ ଆଇଡଲ’ର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରି ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ନିଜର କଣ୍ଠଯାଦୁରେ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *