ଭୋଗରାଇ, ୧୦୲୭ (ଉଦୟ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ଝଡ଼ତୋଫାନ ମଧ୍ୟରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୫ ଜଣ ମତ୍ସ୍ୟଜୀବୀ ବିଗତ ୬ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକ ଥିବା ବେଳେ, ଏଥିରେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ର ଗୋଟିଏ ପରିବାରର ୩ ଜଣ ସହୋଦର ଭାଇ ରହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ସମେତ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରରେ କାନ୍ଦବୋବାଲ ସୃଷ୍ଟି ହୋଇଛି।
୪ ତାରିଖରୁ ବିଚ୍ଛିନ୍ନ ହେଲା ସମ୍ପର୍କ, ଜିପିଏସ୍ ବି ଅଚଳ

ମିଳିଥିବା ସୂଚନା ମୁତାବକ, ଗତ ଜୁଲାଇ ୨ ତାରିଖ (ଗୁରୁବାର) ଦିନ ‘ମା’ କାଳୀ’ ନାମକ ଏକ ମାଛଧରା ଟ୍ରଲର୍ ଯୋଗେ ୧୫ ଜଣିଆ ମତ୍ସ୍ୟଜୀବୀ ଦଳ ଇଲିଶି ମାଛ ଧରିବା ପାଇଁ ବଙ୍ଗୋପସାଗର ଅଭିମୁଖେ ବାହାରିଥିଲେ। ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ସହ ଟ୍ରଲର୍ ମାଲିକ ଓ ପରିବାର ଲୋକଙ୍କ ଯୋଗାଯୋଗ ଠିକ୍ ରହିଥିଲା। ମାତ୍ର ସମୁଦ୍ରରେ ପାଣିପାଗ ବିଗିଡ଼ିବା ସହ ୪ ତାରିଖ ପରଠାରୁ ସେମାନଙ୍କ ସହ ସମସ୍ତ ପ୍ରକାର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି। ଆଶ୍ଚର୍ଯ୍ୟର ବିଷୟ, ଟ୍ରଲର୍ରେ ଜିପିଏସ୍ (GPS) ବ୍ୟବସ୍ଥା ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହାକୁ ଟ୍ରାକ୍ କରାଯାଇପାରୁ ନାହିଁ।
ନିଖୋଜ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୋଗରାଇ ବ୍ଲକ୍ ଉଲୁଡ଼ା ଗ୍ରାମର ମଧୁସୂଦନ ମାଝୀଙ୍କ ତିନି ପୁଅ ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀ ଅଛନ୍ତି। ଗୋଟିଏ ପରିବାରର ତିନି ତିନି ଜଣ ରୋଜଗାରକ୍ଷମ ପୁଅ ସମୁଦ୍ରରେ ନିଖୋଜ ହେବା ପରେ ବୃଦ୍ଧ ପିତାମାତା ଓ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ପାଣିପାଗ ସତର୍କତା ମିଳିଥିଲା କି ନାହିଁ ସନ୍ଦେହ!
ସମୁଦ୍ରରେ ଲଘୁଚାପ ସକ୍ରିୟ ହେବା ପରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ନେଇ ପାଣିପାଗ ବିଭାଗ ପୂର୍ବରୁ ଆଗୁଆ ସତର୍କ ସୂଚନା ଜାରି କରିଥିଲା। ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ତଥା ପୂର୍ବତନ ବିଧାୟକ ସ୍ୱଦେଶ ରଞ୍ଜନ ନାୟକଙ୍କ କହିବା ଅନୁଯାୟୀ, ଗଭୀର ସମୁଦ୍ରରେ ଥିବା ସମସ୍ତ ବୋଟ୍କୁ ସାଟେଲାଇଟ୍ ଫୋନ୍ ମାଧ୍ୟମରେ କୂଳକୁ ଫେରିବା ପାଇଁ ବାର୍ତ୍ତା ଦିଆଯାଇଥିଲା। ମାତ୍ର ‘ମା’ କାଳୀ’ ଟ୍ରଲର୍ର ମତ୍ସ୍ୟଜୀବୀମାନେ ଏହି ସୂଚନା ପାଇଥିଲେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏବଂ ନିଖୋଜଙ୍କ ପରିବାର ବର୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜରୁରୀ ହସ୍ତକ୍ଷେପ ଦାବି କରିଛନ୍ତି। ସମୁଦ୍ରରେ ସର୍ଚ୍ଚ ଅପରେସନକୁ ଜୋରଦାର କରିବା ଏବଂ ପଶ୍ଚିମବଙ୍ଗ ସରକାର ଓ କୋଷ୍ଟଗାର୍ଡ ସହ ସମନ୍ୱୟ ରକ୍ଷା କରି ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସେମାନେ ନେହୁରା ହୋଇଛନ୍ତି। ବିପଦ ସମୟରେ ସମସ୍ତ ମତ୍ସ୍ୟଜୀବୀ କୌଣସି ସୁରକ୍ଷିତ ଦ୍ୱୀପରେ ଆଶ୍ରୟ ନେଇଥାଇପାରନ୍ତି ବୋଲି ଆଶା କରାଯାଉଛି।












Leave a Reply