ତାଳଚେର, ଅନୁଗୁଳକୁ ପ୍ରଦୂଷଣ ଚିନ୍ତା

ଅନୁଗୁଳ/୨୧-୦୮-୨୪ (ପିପିଏସ ): ବାୟୁ ପ୍ରଦୂଷଣ ପାଇଁ ରେଡ୍‌ ଜୋନ୍‌ରେ ରହିଛି ତାଳଚେର ସହର। କୋଇଲା ଖଣି ଓ କଳକାରଖାନା ପାଇଁ ଏଠାକାର ପାଣିପବନ‌ରେ ବିଷ ଭରି ଯାଇଥିଲା ବେଳେ ଲୋକଙ୍କ ଜୀବନ ଦୁର୍ବିଷହ ‌ହୋଇପଡ଼ିଛି। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଷ୍ଟ୍ରାୟତ୍ତ କଂପାନି ଜଳ ଓ ବାୟୁ ପ୍ରଦୂଷଣର ସର୍ତ୍ତ ଖିଲାପ କରୁଛନ୍ତି। ଏଥିପାଇଁ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ପ୍ରଦୂଷଣ। ଖୋଦ୍‌ ସରକାର ଏହା ସ୍ବୀକାର କରିବା ପରେ ଅନୁଗୁଳ ଜିଲ୍ଲାର ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି।

ଏସିଆ ମହାଦେଶର ପ୍ରଦୂଷିତ ସହର ତାଲିକାରେ ତାଳଚେର ଓ ଅନୁଗୁଳ ସହର ରହିଛି। ଏଠାରେ ପାଖାପାଖି ଏକ ଡଜନ୍‌ କୋଇଲା ଖଣି ରହିଛି। ସେହିପରି ଅନେକ ଘରୋଇ ଶିଳ୍ପାନୁଷ୍ଠାନ ରହିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବି ଭର୍ତ୍ତି ହୋଇଛି। ଏଥିପାଇଁ ଅନୁଗୁଳ ଓ ତାଳଚେର ସହରରେ ବାୟୁର ମାନ ଅତି ଖରାପ ସ୍ତରକୁ ଚାଲି ଯାଉଛି। ଶୀତଦିନେ ସ୍ଥିତି ଅତି ସାଂଘାତିକ ହେଉଛି। ଚଳିତବର୍ଷ ପ୍ରାରମ୍ଭରେ ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ୩ ଶହ ଉପରେ ରହୁଥିଲା। ଯାହାକି ଅତି ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି। କେବଳ ବାୟୁ ନୁହେଁ, ଜଳ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ବି ଏଠାରେ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ରାଷ୍ଟ୍ରାୟତ କଂପାନି ସର୍ତ୍ତ ପୂରଣ କରୁନଥିବା ଅଭିଯୋଗ ଆସିଛି। ପ୍ରଦୂଷଣ ନିରାକରଣ ପାଇଁ ପଦକ୍ଷେପ ନେବାକୁ କଂପାନିକୁ କୁହାଯାଇଥିବା ଜଙ୍ଗଲ, ପରିବେଶ ଓ ଜଳ‌ବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ବିଧାନସଭାରେ ଜଣାଇଛନ୍ତି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ। ଆଗକୁ ତାଳଚେର ଓ ଅନୁଗୁଳର ପ୍ରଦୂଷଣ ନେଇ ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.