କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ : ଅଧ୍ୟକ୍ଷ କହିଲେ “ମୁଁ’ ସବୁ ଠିକ କରିଛି”
*ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ଅଭିଯୋଗ
*କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ବଢ଼ିବାରେ ଲାଗିଛି ବିବାଦ
*ଅଧ୍ୟକ୍ଷ କହିଲେ ‘ସବୁ ଅଭିଯୋଗ ଭିତ୍ତିହୀନ‘
କନ୍ଧମାଳ,୨୧-୮-୨୪ (ପିପିଏସ ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ l କଲେଜ୍ ପାଣ୍ଠି ଟଙ୍କାକୁ ଚଞ୍ଚକତା କରି ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି କଲେଜ ସଭାପତି ଓ ଛାତ୍ରଛାତ୍ରୀ l ଏଥିସହିତ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଫି ଠାରୁ ଅଧିକ ଫି ଆଦାୟ କରୁଥିବା ବେଳେ, ପ୍ରଶାସନ ଓ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ନିର୍ଦ୍ଦେଶକୁ ବେଖାତିରି କରି ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି l
ମିଳିଥିବା ସୂଚନା ଅନୁଯାୟୀ, ନୁଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଖେଳ, ସାମାଜିକ ଓ ଓଡ଼ିଆ ସାହିତ୍ୟ ସଂସ୍କୃତି କାର୍ଯ୍ୟକ୍ରମ ପାଇଁ ଆସିଥିବା,୩ ଲକ୍ଷ ଓ ୭୫ ହଜାର ଟଙ୍କା ନିଜ ମନ ମୁତାବକ ଖର୍ଚ୍ଚ କରି ମିଥ୍ୟା ଭାଉଚର କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପରିଚାଳନା ସମିତିର ସଭାପତି ତଥା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା -୧୯୭୭/୨୪.୦୪.୨୦୨୪ ଦିଗରେ ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ ଲକ୍ଷ ୫୪ ହଜାର ୫୬୦ ଟଙ୍କା ଖର୍ଚ୍ଚ ପାଇଁ ବଜେଟରେ ମଞ୍ଜୁରୀ ହୋଇଥିଲା । କିନ୍ତୁ ୮୧ ଲକ୍ଷ ୧୭ ହଜାର ୨୯୭ ଟଙ୍କା ଉଠାଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ବିଶ୍ବେଶ୍ବର ଆଚାର୍ଯ୍ୟ ମନଇଛା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ପରେ ଖର୍ଚ୍ଚ ଟଙ୍କାର ହିସାବ ଦେଇପାରିନଥିଲେ । ଅନ୍ୟପଟେ ମାସ ମାସ ଧରି କର୍ମଚାରୀଙ୍କୁ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ଦୁର୍ନିତୀ ଗ୍ରସ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ଗଭର୍ଣ୍ଣିଂ ବଡ଼ି କମିଟି ସଭାପତି ପାଉଲ ମଣ୍ଡଳ ।
କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି l ସରକାର ଧାର୍ଯ୍ୟ କରିଥିବା କଲେଜରେ ନାମଲେଖା ଫି ବଦଳରେ ଯୋର୍ ଜବରଦସ୍ତ ଅଧିକା ଟଙ୍କା ନେଇଥିବା ବେଳେ ସେହି ଟଙ୍କାର ମନି ରିସିପ୍ଟ ଦେଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅସ୍ଵାସ୍ଥ୍ୟକର ପରିବେଶରେ କଲେଜ ଥିବାବେଳେ, କଲେଜରେ ଛାତ୍ରୀଙ୍କ ପାଇଁ ପରିଶ୍ରାଗାର କିମ୍ବା ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ । କଲେଜ୍ କର୍ତ୍ତୁପକ୍ଷଙ୍କ ସହ କର୍ମଚାରୀ ଓ ଗଭର୍ଣିଂ ବଡ଼ି ସଦସ୍ୟଙ୍କ ସହ ରିତିମତ ଗଣ୍ଡଗୋଳ ଲାଗି ରହୁଥିବାରୁ ଉଚିତ ଶିକ୍ଷାରୁ ବଞ୍ଚିତ ହେଉଥିବାବେଳେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସମସ୍ତ ଅଭିଯୋଗର ସ୍ପଷ୍ଟ ପ୍ରମାଣ ରହିଥିବାବେଳେ, ସବୁ ଅଭିଯୋଗ ଭିତ୍ତିହୀନ, ମୁଁ ସବୁକାମ ଠିକ୍ କରିଛି ବୋଲି କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ବେଶ୍ବର ଆଚାର୍ଯ୍ୟ ।