ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର /୨୦-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ନିଯୁକ୍ତ କରି କାର୍ଯ୍ୟକ୍ରମ ଗୁଡିକୁ ଆଗେଇ ନେବା ଉଚିତ ବୋଲି ସେ କହିଥିଲେ।ଯେହେତୁ ରାଜ୍ୟ ସରକାର ୨୦୩୬ ଓ ୨୦୪୭ ପାଇଁ ବଡ ଭିଜନ୍ ରଖି କାମ ଆରମ୍ଭ କରିଛନ୍ତି, ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ, ଟିମ୍ ସ୍ପିରିଟ୍ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅପ୍ରେଲ-ଜୁଲାଇ ଅବଧିର ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଏକ ତୁଳନାତ୍ମକ ଆୟ ବ୍ୟୟ ର ହିସାବ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଜୁଲାଇ ଅବଧି ମଧ୍ୟରେ ସମୁଦାୟ ଆୟର ପରିମାଣ ୫୭,୦୮୫ କୋଟି ଟଙ୍କା ଥିବା ବେଳେ ଗତ ବର୍ଷ ସେହି ଅବଧି ମଧ୍ୟରେ ଆୟର ପରିମାଣ ୫୧,୨୩୪ କୋଟି ଟଙ୍କା ଥିଲା। ଏହି ପରିମାଣ ଗତ ବର୍ଷର ଏହି ଅବଧିର ଆୟ ଅପେକ୍ଷା ୧୧.୪୨ ପ୍ରତିଶତ ଅଧିକ।ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।












Leave a Reply