ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଶ୍ରୀମନ୍ଦିର ପେଯ ନଳା ଜାମ୍‌

ସିଂହଦ୍ବାରରେ ଭାସିଲା ନଳାପାଣି ମିଶା ପେଯ: ଭକ୍ତ,ସେବାୟତ ଅସନ୍ତୁଷ୍ଟ

ପୁରୀ୧୮-୦୮-୨୪ (ପିପିଏସ ): ଶ୍ରୀମନ୍ଦିର ପେଯନଳା ଜାମ୍‌ କାରଣରୁ ଆଜି ସିଂହଦ୍ବାରରେ ଭାସିଛି ରୋଷଘର ପେଯ। ନଳାପାଣି ସହ ମିଶି ଏହା ବଡ଼ଦାଣ୍ଡ ସିଂହଦ୍ବାରରେ ଲହଡ଼ି ମାରିଛି। ଏହାକୁ ମାଡ଼ି ଭକ୍ତ, ସେବାୟତ ଶ୍ରୀମନ୍ଦିରକୁ ଯା’ଆସ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରିକ୍ରମା କାମ ବେଳେ କୌଣସି ଜାଗାରେ ପେଜ ନଳାକୁ ଜାମ୍‌ କରି ଦିଆଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।ଆଜି ସକାଳେ ମଙ୍ଗଳ ଆଳତି ସମୟରେ ହଠାତ ଦକ୍ଷିଣପାର୍ଶ୍ବ ପେଜନଳାଠାରୁ ପୂର୍ବ-ଦକ୍ଷିଣ ପାର୍ଶ୍ବ ଏମାର ମଠ ଚକଡ଼ା ଦେଇ ନଳାପାଣି ମିଶା ପେଯର ସୁଅ ସିଂହଦ୍ବାରକୁ ଛୁଟିଥିଲା। ମ୍ୟାନ୍‌ହୋଲ୍‌ ଦେଇ ନଳାପାଣି ସହ ମିଶି ଏହି ପେଯ ରାସ୍ତାରେ ଭାସିଥିଲା। ଦେଖୁ ଦେଖୁ ଏହା ସିଂହଦ୍ବାର ଅଞ୍ଚଳକୁ ମାଡ଼ି ଯାଇଥିଲା। ଯେଉଁ ସ୍ଥାନରେ ତିନି ରଥ ଅଛନ୍ତି, ସେ ଅଞ୍ଚଳକୁ ବି ପେଯ ମାଡ଼ିଯାଇଥିଲା। ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତ ଓ ପାଳି ଖଟିବାକୁ ଯାଉଥିବା ସେବାୟତ ଏହାକୁ ମାଡ଼ି ଶ୍ରୀମନ୍ଦିରକୁ ଯାଇଥିଲେ।

ପ୍ରାୟ ୩ ଘଣ୍ଟା ଧରି ଏଭଳି ସମସ୍ୟା ଲାଗି ରହିବା ପରେ ଶେଷରେ ପରିକ୍ରମା ପ୍ରକଳ୍ପ ସଫେଇ ଦାୟିତ୍ବ ନେଇଥିବା ଠିକାସଂସ୍ଥା କର୍ମଚାରୀ ଏହାକୁ ସଫା କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ କହିଛନ୍ତି, ନାଳ ଜାମ କାରଣରୁ ଏହି ସମସ୍ୟା ଉପୁଜିଥିଲା। ଏହାକୁ ସଫା କରାଯାଇଛି। ପାଳି ଖଟୁଥିବା ସେବାୟତମାନେ କହିଛନ୍ତି, ନାଳ ପାଣି ସୁବ୍ୟବସ୍ଥିତ ଢଙ୍ଗରେ ନିଷ୍କାସନ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନେକ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଛି। ଏହାସତ୍ତ୍ବେ ନାଳ ଜାମ୍‌ ହୋଇ ରାସ୍ତାରେ ପେଯ ମିଶା ନଳାପାଣି ସିଂହଦ୍ବାରରେ ଭାସିବା ନିଶ୍ଚିତ ପରିକ୍ରମା ପ୍ରକଳ୍ପରେ ତ୍ରୁଟି ରହିଥିବା ଦର୍ଶାଉଛି। ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସେବାୟତମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଦକ୍ଷିଣଦ୍ବାର ପାର୍ଶ୍ବ ପାଖରେ ରହିଥିଲା ପେଯନଳା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ଶ୍ରୀମନ୍ଦିର ରୋଷଘରରୁ ଯେଉଁ ପେଯ, ପାଣି ଆଦି ବାହାରୁଥିଲା, ପେଯନଳା ଦେଇ ଏହା ନିଷ୍କାସିତ ହେବା ପରେ ପମ୍ପିଂ ମେସିନ୍‌ ଜରିଆରେ ଏହାକୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ନିଆଯାଇ ବିଶୋଧନ କରାଯାଇଥିଲା। ଏବେ ପୁରୁଣା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଦକ୍ଷିଣଦ୍ବାରରେ ଅଳ୍ପ କିଛି ଦୂରକୁ ସ୍ଥାନାନ୍ତର କରାଯାଇଛି। ଏହା ନିର୍ମାଣାଧୀନ ଥିବା ବେଳେ ପେଜନଳା ଜାମ ହୋଇ ସିଂହଦ୍ବାରରେ ନଳାପାଣି ମିଶା ପେଜ ଆଜି ଭାସିଛି।

Leave a Reply

Your email address will not be published. Required fields are marked *