ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଏସ୍‌ସିବି ଦେବ ପ୍ରମାଣପତ୍ର; ପରୀକ୍ଷା ହେବ ଏମ୍‌ସ, ଏଲ୍‌ଭି ପ୍ରସାଦରେ

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ ଯୋଜନାରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି। ହେଲେ ମାତ୍ର ୧୫ଲକ୍ଷ ଟଙ୍କା ପାଇଁ ୫ବର୍ଷ ହେଲା ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍‌ ହସ୍ପିଟାଲ ନିଜର ବିଶ୍ବସନୀୟତା ହରାଉଛି।

କଟକ, ୧୮-୧୨-୨୦୨୪ (ପିପିଏସ) : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ ଯୋଜନାରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି। ହେଲେ ମାତ୍ର ୧୫ଲକ୍ଷ ଟଙ୍କା ପାଇଁ ୫ବର୍ଷ ହେଲା ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍‌ ହସ୍ପିଟାଲ ନିଜର ବିଶ୍ବସନୀୟତା ହରାଉଛି। ଅର୍ଥାତ୍‌ ପ୍ରମାଣପତ୍ର ମିଳିବ ଏସ୍‌ସିବିରୁ କିନ୍ତୁ ପ୍ରାର୍ଥୀ କେତେ ପ୍ରତିଶତ ଭିନ୍ନକ୍ଷମ ସେହି ପରୀକ୍ଷା ହେବ ଭୁବନେଶ୍ବରର ଏମ୍‌ସ ଓ ଭୁବନେଶ୍ବର‌ରେ ଥିବା ଏଲ୍‌ ଭି ପ୍ରସାଦ ଘରୋଇ ଚକ୍ଷୁ ପ୍ରତିଷ୍ଠାନରେ। ସେଠାରୁ ଆସିଥିବା ରି‌ପୋର୍ଟ ଆଧାରରେ ଏସ୍‌ସିବି ପକ୍ଷରୁ ଜାରି କରାଯିବ ଭିନ୍ନକ୍ଷମ ପ୍ରମାଣପତ୍ର। ଦୀର୍ଘ ୫ବର୍ଷ ହେଲା ଏଭଳି ବିଚିତ୍ର ବ୍ୟବସ୍ଥା ମଧ୍ୟରେ ଚାଲିଛି ଏସ୍‌ସିବି ଚକ୍ଷୁ ବିଭାଗ। ଏପଟେ ଏସ୍‌ସିବି ଚକ୍ଷୁ ବିଭାଗକୁ ରାଜ୍ୟର ଆଞ୍ଚଳିକ ଚକ୍ଷୁ ପ୍ରତିଷ୍ଠାନ ଭାବରେ ମାନ୍ୟତା ଦିଆଯାଇଛି। କିନ୍ତୁ ୧୫ଲକ୍ଷ ଟଙ୍କାର ଭିଜୁଆଲ୍‌ ପେରିମିଟର ଖରାପ ହୋଇପଡ଼ିଥିଲେ ବି ତାର ମରାମତି ହେଉନି କି ନୂଆ ଉପକରଣ ଆସିପାରୁନି। ଅନ୍ୟପଟେ ରାଜ୍ୟର ସମସ୍ତ ବିଭାଗରେ ହେଉଥିବା ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ପ୍ରାର୍ଥୀମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଏସ୍‌ସିବିକୁ ପଠାଯାଇଥାଏ। 

୫ ବର୍ଷ ହେଲା ଭିଜୁଆଲ୍‌ ପେରିମିଟର ଖରାପ, ଯୋଗାଡ଼ ହୋଇପାରୁନି ୧୫ ଲକ୍ଷ ଟଙ୍କା!

ରାଜ୍ୟର ସବୁଠାରୁ ବଡ଼ ସରକାରୀ ରେଫରାଲ ହସ୍ପିଟାଲ ହେଉଛି କଟକ ବଡ଼ଡାକ୍ତରଖାନା। ଲିଭର୍‌ ପ୍ରତିରୋପଣ, କିଡ୍‌ନି ପ୍ରତିରୋପଣ ପରେ ଆଗକୁ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ଯୋଜନା ରହିଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ଆୟୋଜିତ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ଶାରୀରିକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ର ଏସ୍‌ସିବିରେ ହୋଇଥାଏ। ଏସ୍‌ସିବିର ରିପୋର୍ଟ ଆଧାରରେ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଫିଟ୍‌ନେସ୍‌ ପ୍ରମାଣପତ୍ର ପ୍ରଦାନ କରାଯାଏ। ଏସ୍‌ସିବି ଚକ୍ଷୁ ବିଭାଗକୁ ୨୦୧୨ରୁ ରାଜ୍ୟର ଆଞ୍ଚଳିକ ଚକ୍ଷୁ ପ୍ରତିଷ୍ଠାନର ମାନ୍ୟତା ମିଳିଛି। କିନ୍ତୁ ବିଭାଗରେ ଯେଉଁ ଉପକରଣ ଖରାପ ହେଉଛି ତାହାର ମରାମତି ହେଉନି କି ନୂଆ ମେସିନ୍‌ ପାଇଁ ବାରମ୍ବାର ଚିଠି କରାଯାଉଥିଲେ ବି ତାହା ଆସୁନି। ଏପଟେ ଅନେକ ଉପରକଣ ବି ବ୍ୟବହାର ନ ହୋଇ ପଡ଼ିରହିଛି। ଜଣେ ବ୍ୟକ୍ତିର ଦୃଷ୍ଟିଶକ୍ତି ପରୀକ୍ଷା କରି ପ୍ରମାଣ ଦେଉଥିବା ଭିଜୁଆଲ ପେରିମିଟର ନାମକ ଉପକରଣ ୫ ବର୍ଷ ହେଲା ଖରାପ ହୋଇଥିଲେ ବି ତାହାକୁ ସଜଡ଼ା ଯାଉନି ଅଥବା ନୂଆ ଉପକରଣ ଆସୁନି। ଏଭଳି ସ୍ଥିତିରେ ଚକ୍ଷୁ ପ୍ରମାଣପତ୍ର ପାଇଁ ଏସ୍‌ସିବି ଚକ୍ଷୁ ବିଭାଗ ଭୁବନେଶ୍ବର ଏମ୍ସ ଓ ଏକ ଘରୋଇ ଚକ୍ଷୁ ପ୍ରତିଷ୍ଠାନ ଉପରେ ୫ ବର୍ଷ ହେଲା ନିର୍ଭର କରୁଛି। ସେଠାରୁ ରିପୋର୍ଟ ଆସିବା ପ‌ରେ ସେହି ଆଧାରରେ ଏସ୍‌ସିବି କର୍ତ୍ତୃପକ୍ଷ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ମାସକୁ ହାରାହାରି ୨ଶହ ପ୍ରାର୍ଥୀଙ୍କୁ ଏସ୍‌ସିବିରୁ ଭୁବନେଶ୍ବର ଏମ୍‌ସ ଓ ଏକ ଘରୋଇ ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପଠାଯାଉଛି। ଏହି ବ୍ୟବସ୍ଥା ସୁଧୁରିବାକୁ ଆଉ କେତେ ବର୍ଷ ଲାଗିବ, ତାହା ବର୍ତ୍ତମାନ ସ୍ଥିତିରେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି।

Leave a Reply

Your email address will not be published. Required fields are marked *