ଆଶାକର୍ମୀଙ୍କୁ ବୀଭତ୍ସ ହତ୍ୟା

ନିଖୋଜ ଥିଲେ ଆଶାକର୍ମୀ, ପୋଖରୀରୁ ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ

ସୁନ୍ଦରଗଡ଼/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଭସ୍ମା ଥାନା ଅଧୀନ କୁଡ଼ାବଗା ପତ୍ରାପାଲି ଗାଁରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଥିବା ଆଶାକର୍ମୀ ସୁଭାଷିନୀ ନାଏକଙ୍କର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଆଜି ଅପରାହ୍‌ଣ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଜମିବାଡ଼ିକୁ କେନ୍ଦ୍ର କରି ପାରିବାରିକ ଶତ୍ରୁତା ଯୋଗୁଁ ଆଶାକର୍ମୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।  

ଘଟଣା ଅନୁସାରେ ଗତକାଲି ଅପରାହ୍‌ଣ ୧୨ ଟା ୩୦ ବେଳକୁ ଆଶାକର୍ମୀ ସୁଭାଷିନୀ ନାଏକ ଘରର ଦୈନନ୍ଦିନ କାମ ସାରି ଗାଁ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେ ଆଉ ଘରକୁ ଫେରି ନଥିଲେ। ତେବେ ଏହାରି ଭିତରେ ତାଙ୍କ ଘରକୁ ମୋବାଇଲ ଫୋନ୍‌ କଲ୍‌ ଆସିଥିଲା ଏବଂ ମୋବାଇଲରେ ତାଙ୍କର କାନ୍ଦିବାର ଶଦ୍ଦ ଶୁଣାଯାଉଥିଲା। 

ଏହା ପରେ ପୁଲିସ ଅଗ୍ନିଶମ ବିଭାଗର ସହାୟତାରେ ପୋଖରୀରେ ଖୋଜାଖୋଜି ଆରମ୍ଭ କରିଦେଇଥିଲା। କିନ୍ତୁ କୋଉଁଠି ବି ସୁଭାଷିନୀଙ୍କ ପତ୍ତା ମିଳିନଥିଲା। ଚାରିଆଡେ଼ ଖୋଜାଖୋଜି ଚାଲିଥିବା ବେଳେ ହଠାତ୍ ଆଜି ସେହି ପୋଖରୀରେ ହିଁ ସୁଭାଷିନୀଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ତାଙ୍କର ବେକ ଏବଂ କପାଳରେ ଛୁରା ମାଡ଼ ଭଳି ଚିହ୍ନ ଦେଖିବାକୁ ମିଳିଛି। ପରିବାର ଲୋକେ ଜମିଜମାରୁ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ ହିଁ ହତ୍ୟାର କାରଣ ବୋଲି ସଂଦେହ କରୁଛନ୍ତି। ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.