ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ : ପୁଲିସ ହେପାଜତରେ ଚିକିତ୍ସା ପାଇଁ ଯିବେ ମହାରାଷ୍ଟ୍ର

ଯୋଧପୁର/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ପାରୋଲ ମିଳିଛି । ପୁଲିସ ହେପାଜତରେ ଚିକିତ୍ସା ପାଇଁ ଆଶାରାମ ମହାରାଷ୍ଟ୍ର ଯିବେ । ଆଶାରାମଙ୍କ ମହାରାଷ୍ଟ୍ରରେ ଚିକିତ୍ସା କରାଯିବ। ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ପାରୋଲକୁ ଅନୁମୋଦନ କରିଛନ୍ତି । ଯୋଧପୁର ସେଣ୍ଟ୍ରାଲ ଜେଲରେ ପୁଣି ଥରେ ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଶାରାମଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଶାରାମଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ମିଳିବା ମାତ୍ରେ ତାଙ୍କ ସମର୍ଥକମାନେ ହସ୍ପିଟାଲ ଚାରିପାଖରେ ଏକତ୍ରିତ ହେବା ପରେ ସେଠାରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିଲା । ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଆଶାରାମଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଆବଶ୍ୟକ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ ମାସରେ ପୁଣେର ମାଧବବାଗ ହସ୍ପିଟାଲର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଯୋଧପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଆୟୁର୍ବେଦିକ ପଦ୍ଧତିରେ ହୃଦରୋଗ ଚିକିତ୍ସା କରାଯାଇଥିଲା ।

Leave A Reply

Your email address will not be published.