ଘୁଷୁରୀ ଓ ମଣିଷର ବାସସ୍ଥାନ ଗୋଟିଏ
1 min read

ଘୁଷୁରୀ ଓ ମଣିଷର ବାସସ୍ଥାନ ଗୋଟିଏ

ମାଲକାନଗିରି/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ୮୦ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, କନ୍ଧ, ଦୁରୁଆ, ପରଜା, ଗାଦବା ଭଳି ବହୁ ଆଦିବାସୀ ସଂପ୍ରଦାୟର ଲୋକେ କାହିଁ କେଉଁ କାଳରୁ ଏଠାରେ ବସବାସ କରିଆସୁଛନ୍ତି। ଏମାନଙ୍କର ୧୨ ମାସରେ ୧୩ ପର୍ବ ପାଳନ କରନ୍ତି। ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀମାନେ ମୁଖ୍ୟତଃ ଜଂଗଲ ଉପରେ ହିଁ ଭରସା କରିଥାନ୍ତି। ଜଂଗଲରୁ ନିଜର ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଆଣିଥାନ୍ତି। ଜଂଗଲରୁ ଯାହା ମିଳେ ତାକୁ ବଜାରରେ ବିକ୍ରି କରି ତାର ପ୍ରତିବଦଳରେ ଘରର ଅନ୍ୟ ଦରକାରୀ ଜିନିଷି ଆଣିଥାନ୍ତି।

ଘୁଷୁରୀ ମଣିଷ ଏକାଠି

ତେବେ ଜିଲ୍ଲାର ଆଦିବାସୀ ବିଶେଷକରି ଗୃହପାଳିତ ପଶୁ ଉପରେ ମଧ୍ୟ ବେଶୀ ନିର୍ଭର କରନ୍ତି। ସେଥିମଧ୍ୟରୁ ଘୁଷୁରୀ ଅନ୍ୟତମ। ଗାଁଗୁଡିକରେ ପ୍ରାୟତଃ ସମସ୍ତଙ୍କ ଘରେ ଘୁଷୁରୀ ପାଳୁଥିବା ଦେଖିବାକୁ ମିଳେ। ଲୋକେ ଗାଈ ଅପେକ୍ଷା ଘୁଷୁରୀକୁ ବେଶୀ ଯତ୍ନ ନିଅନ୍ତି। କାରଣ ଏହା ସେମାନଙ୍କର ଖାଦ୍ୟ ସହ ପୂଜାପର୍ବ, ଜାନିଯାତ୍ରା ଓ ବିବାହରେ ଅଙ୍ଗାଙ୍ଗିଭାବେ ଭାବେ ଜଡିତ। ପ୍ରତ୍ୟେକ କ୍ଷେତ୍ରରେ ଘୁଷୁରୀ ମାଂସ ହିଁ ସେମାନଙ୍କର ପ୍ରଧାନ ଖାଦ୍ୟ ହୋଇଥାଏ।ଗାଁ ଗୁଡିକରେ ଅତି ଗରିବ ଆଦିବାସୀ ଲୋକେ ନିଜ ଘରେ ଘୁଷୁରୀ ପାଳିବା ସହ ନିଜେ ସେହି ଘରେ ରହୁଥିବା ଦେଖିବାକୁ ମିଳେ।

ଏହି ଘୁଷୁରୀ ଦିନେ ସେମାନଙ୍କର ପିଲାଙ୍କ ଜୀବନ ନେବ କେବେ ମଧ୍ୟ ଭାବି ନଥିଲେ। ଘୁଷୁରୀ ଯୋଗୁଁ ହିଁ ଜାପାନୀଜ ଏନସାଫାଲାଇଟିସ ରୋଗ ବ୍ୟାପିଥିଲା। ୨୦୧୬ ମସିହାରେ ୫୦୦ରୁ ଉର୍ଦ୍ଧ୍ବ ଶିଶୁଙ୍କର ଜୀବନ ଏହି ରୋଗ ନେଇଥିଲା। ଏବେ ଭାବିଲେ ଛାତି ଥରି ଉଠେ।ଆଦିବାସୀ ଗାଁଗୁଡିକରୁ ପ୍ରତିଦିନ ଶିଶୁଙ୍କ ମୃତ୍ୟୁ ହେଉଥିଲା। ଜିଲ୍ଲାର ଆଦିବାସୀଙ୍କର ରୋଜଗାର କହିଲେ ଏହି ଘୁଷୁରୀ ହିଁ ମୁଖ୍ୟ ଚାଷ ହୋଇଛି।

୨୦୧୬ -୧୭ ମସିହାରେ ବହୁ ଘୁଷୁରୀଙ୍କୁ ହତ୍ୟା କରାଯାଇଥିଲା ଫଳରେ ବହୁ ଗରିବ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳରୁ ଅତି ଦୁର୍ବଳ ମଧ୍ୟ ହୋଇଯାଇଥିଲା। ସରକାର ଏଥିପ୍ରତି ସେତେବେଳେ ଧ୍ୟାନ ଦେଇନଥିଲେ କିମ୍ବା ସେମାନଙ୍କୁ ଏହାର କ୍ଷତିପୂରଣ ମଧ୍ୟ ଦେଇନଥିଲେ। ଆଜି ବି ଆଦିବାସୀ ପୁରପଲ୍ଲୀରେ ଘୁଷୁରୀ ମାଂସକୁ ଶୁଖାଇ ଘରେ ଟଙ୍ଗା ଯାଇଥିବା ଦେଖିବାକୁ ମିଳେ। ପରବର୍ତ୍ତୀ ସମୟରେ ଝାଡାବାନ୍ତି ଭଳି ସଂକ୍ରାମକ ରୋଗରେ ପୀଡିତ ହୋଇ ଲୋକେ ବହୁ ହଇରାଣ ମଧ୍ୟ ହୋଇଛନ୍ତି। ଏତେ ସବୁ ଘଟୁଥିଲେ ମଧ୍ୟ ଆଦିବାସୀଙ୍କ ପ୍ରିୟ ହେଉଛି ଘୁଷୁରୀ। ଯାହାକୁ ସେମାନେ କେବେ ଛାଡିବେ ନାହିଁ କି କେହି ଛଡାଇପାରିବେ ନାହିଁ।

Leave a Reply

Your email address will not be published. Required fields are marked *