୩ ମାସରେ ଥରେ ବଦଳିବ ପେଟ୍ରୋଲ୍‌ ଦର!
1 min read

୩ ମାସରେ ଥରେ ବଦଳିବ ପେଟ୍ରୋଲ୍‌ ଦର!

ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ।

ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ଯଦି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଏ ତାହେଲେ ପେଟ୍ରୋଲ ଦର ଲିଟର ପିଛା ଦେଢ଼ ଟଙ୍କା କମିବା ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରେ କୁହାଯାଇଛି।

ଯଦି ୩ ମାସରେ ଥରେ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ ହୁଏ ତା’ହେଲେ ଦୀର୍ଘଦିନ ପାଇଁ ଦର ସ୍ଥିର ରହିବ। ହ୍ରାସବୃଦ୍ଧିର କୌଣସି ପ୍ରଭାବ ଗ୍ରାହକ ଅନୁଭୂତ କରିବେ ନାହିଁ। ସଂପ୍ରତି ଅଶୋଧିତ ତେଲ ଦର ଯେଉଁ ସ୍ଥିତିରେ ରହିଛି ତାହାଦ୍ବାରା ଲିଟର ପିଛା ପେଟ୍ରୋଲ ଦରରେ କମ୍ପାନିଗୁଡ଼ିକ ୧୫ ଟଙ୍କା ଏବଂ ଡିଜେଲରେ ୧୨ ଟଙ୍କା ଲାଭ କରୁଛନ୍ତି। କମ୍ପାନି ଯଦି ଏହାର ୧୦ ପ୍ରତିଶତ ଫାଇଦା ଗ୍ରାହକଙ୍କୁ ଦିଅନ୍ତି ତା’ହେଲେ ପେଟ୍ରୋଲ ଦର ଲିଟର ପିଛା ଦେଢ଼ ଟଙ୍କା ଏବଂ ଡିଜେଲ ଦର ୧ ଟଙ୍କା ୨୦ ପଇସା କମିବା ସମ୍ଭାବନା ରହିଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦୈନିକ ସଂଶୋଧନ ହେବାର ବ୍ୟବସ୍ଥା ଥିଲା। ପ୍ରତିଦିନ ସକାଳ ୬ଟାରେ ତେଲ କମ୍ପାନିଗୁଡ଼ିକ ଉଭୟ ଇନ୍ଧନର ଦର ବଦଳାଇବା କ୍ଷମତା ପାଇଥିଲେ। ୨୦୧୭ ଜୁନ୍‌ ୧୬ରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହାକୁ ଡାଇନାମିକ୍‌ ପ୍ରାଇସିଂ ବ୍ୟବସ୍ଥା କୁହାଯାଉଛି।

ଅର୍ଥାତ୍‌ ଏହି ବ୍ୟବସ୍ଥାରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ବିଚାରକୁ ନେଇ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଦଳାଇଥାନ୍ତି। କିନ୍ତୁ ଗତ କିଛି ମାସ ହେଲା ଏହି ବ୍ୟବସ୍ଥା କାର୍ଯ୍ୟ କରୁନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ହ୍ରାସ ବର୍ତ୍ତମାନ ଦେଖିବାକୁ ମିଳୁନାହିଁ। ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସରକାର ତେଲ ଦର କମାଇବେ ବୋଲି ଗ୍ରାହକମାନେ ଆଶା କରିଥିଲେ ମଧ୍ୟ ତାହା ହୋଇନାହିଁ। ତେଲ କମ୍ପାନିଙ୍କ ପରିବର୍ତ୍ତେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗତ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ ଘୋଷଣା କରିଥିଲେ।  ୨୦୧୬ ଜୁନ ୧୬ରୁ ଦେଶରେ ଡାଇନାମିକ୍ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ପ୍ରତି ମାସରେ ଦୁଇଥର ଅର୍ଥାତ ୧ ତାରିଖ ଓ ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ବଦଳୁଥିଲା। 

ଏହି ପରିପ୍ରେକ୍ଷୀରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ମହାସଚିବ ସଞ୍ଜୟ ଲାଠ କୁହନ୍ତି, ଦୈନିକ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ ବ୍ୟବସ୍ଥା ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ସହ ତାଳ ଦେଇ ଅଣାଯାଇଥିଲା। ‌ତେବେ ୩ ମାସିଆ ସ୍କିମ ଅନ୍ତର୍ଜାତୀୟ ବଜାରକୁ ତାଳ ଦେଇ ଅଣାଯାଉଛି ତ? ନହେଲେ ମଧ୍ୟ ଯଦି ସରକାର ଭାବିଚିନ୍ତି ଏହାକୁ କାର୍ଯ୍ୟକାରୀ କରୁଛନ୍ତି ତା’ହେଲେ ଏହା ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଛନ୍ତି। ଭାରତ ଏହାର ମୋଟ ଅଶୋଧିତ ତେଲ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନି ଜରିଆରେ ପୂରଣ କରିଥାଏ। ତେଣୁ ସରକାରଙ୍କୁ ଏ ବାବଦରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଅନ୍ତର୍ଜାତୀୟ ବଜାରରେ ଯଦି ଅଶୋଧିତ ତେଲ ଦର ବ୍ୟାରେଲ୍‌ ପିଛା ୧ ଡଲାର କମେ ତାହେଲେ ସରକାର ବର୍ଷକୁ ୧୩ ହଜାର କୋଟି ସଞ୍ଚୟ କରିବାକୁ ସମର୍ଥ ହୋଇଥାନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ରେଟିଂ ଏଜେନ୍ସି ପକ୍ଷରୁ ଆକଳନ କରାଯାଇଥିଲା ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯେଉଁସ୍ତରରେ ରହିଛି ତାହାଦ୍ବାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *