ସତ୍ୟନଗର ଦୁର୍ଗାପୂଜା କମିଟି:ଏଥର ଗଙ୍ଗାମାତା ଭବନ ତୋରଣ
1 min read

ସତ୍ୟନଗର ଦୁର୍ଗାପୂଜା କମିଟି:ଏଥର ଗଙ୍ଗାମାତା ଭବନ ତୋରଣ

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି। ଏଥର ଶୋଭା ପାଇବ ଗଙ୍ଗାମାତାଙ୍କ ଭବନ। ଚଳିତ ବର୍ଷ ତୋରଣର ଉଚ୍ଚତା ରହିଛି ୬୦ ଫୁଟ। ଗଙ୍ଗାମାତାଙ୍କ ଭବନ ଭିତରେ ଓ ବାହାରେ ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବ। ମା’ଙ୍କ ସମେତ ପାର୍ଶ୍ୱ ଦେବଦେବୀ ମଧ୍ୟ ରୌପ୍ୟ ଅଳଙ୍କାର ପିନ୍ଧି ପୂଜା ପାଇବେ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂରା ତୋରଣକୁ ପରିବେଶ ଅନୁକୂଳ ସାମଗ୍ରୀରୁ ପ୍ରସ୍ତୁତ କରାଯିବ।

ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି।

ପୂଜାର ଆକର୍ଷଣ ସାଜିବ ମା’ଙ୍କ ଆଳତିଭୋଗ। ସନ୍ଧ୍ୟା ଆଳତି ପରେ ମା’ଙ୍କ ପାଖରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭୋଗ, ଯେପରିକି ଖେଚୁଡ଼ି, ହାଲୁଆ, ରସଗୋଲା ଆଦି ଲାଗି କରାଯିବ। ଏହି ସନ୍ଧ୍ୟାଭୋଗକୁ ୧୦୦୦ରୁ ଅଧିକ ଭକ୍ତ ପ୍ରତିଦିନ ସେବନ କରିବେ। ଏହା ବ୍ୟତୀତ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ୫୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ମେଢ଼ ପାଖରେ ମୀନା ବଜାର ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କଟକ ଓ ଭୁବନେଶ୍ୱରର ଲୋକପ୍ରିୟ ଅର୍କେଷ୍ଟ୍ରା ଆସି ତାଙ୍କ କଳା ପରିବେଷଣ କରିବେ। ସେହିପରି ଭସାଣି ଉତ୍ସବରେ ମାଦଳ, ଢୋଲ, ଆଦିବାସୀ ନୃତ୍ୟ, ଲାଇଟ ସୋ’ ଆଦି ସାମିଲ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ ନିୟୋଜିତ ହେବେ। ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସୁବିଧାରେ ଦର୍ଶନ କରିବାପାଇଁ ପୂଜା କମିଟି ପକ୍ଷରୁ ସ୍ଲୋପ୍‌ ସମେତ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା ହେବ।  

Leave a Reply

Your email address will not be published. Required fields are marked *