ନାକରେ ରୁମାଲ ବାନ୍ଧି ଚିକିତ୍ସାକଲେ ଡାକ୍ତର
1 min read

ନାକରେ ରୁମାଲ ବାନ୍ଧି ଚିକିତ୍ସାକଲେ ଡାକ୍ତର

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କ୍ୟାପିଟାଲ  ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଫଳରେ ହସ୍ପିଟାଲ ପରିସରରୁ ଆଜି ମଧ୍ୟ ଅଳିଆ ଉଠି ପାରିନାହିଁ। ତେଣୁ ଆଜି ହସ୍ପିଟାଲ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ଡାକ୍ତର ନାକରେ ରୁମାଲ ବାନ୍ଧି ରୋଗୀ ଚିକିତ୍ସା କରିଥିବା ବେଳେ ରୋଗୀମାନେ ମଧ୍ୟ ରୁମାଲ ବାନ୍ଧି ଯା’ଆସ କରୁଥିଲେ। ହସ୍ପିଟାଲର ବିଭିନ୍ନ ବାରଣ୍ଡାରେ ମଇଳା ପାଣି ଭାସିବା ସହିତ ଡଷ୍ଟବିନ୍‌ ଅଳିଆରେ ଉଛୁଳି ପଡ଼ିଥିଲା। ଖାଇବା ପଡ଼ି ପରିସର ଦୁର୍ଗନ୍ଧମୟ ହୋଇଯାଇଥିଲା। ବିଭିନ୍ନ ୱାର୍ଡର ‌‌ଶୌଚାଳୟ ସଫା ହେଉ ନଥିବାରୁ ମଇଳା ପାଣି ବାରଣ୍ଡାରେ ବୋହିଥିଲା। ଫଳରେ ୱାର୍ଡମାନଙ୍କର ବାରଣ୍ଡାରେ ପରିସ୍ରାମିଶା ପାଣି ପରିସ୍ଥିତିକୁ ଅସମ୍ଭାଳ କରି ପକାଇଥିଲା। ସଫା ହୋଇ ପାରୁ ନଥିବାରୁ କ୍ୟାବିନ ଦିଆଯାଇ ପାରୁନାହିଁ। ଆଇପିଡି ରୋଗୀମାନେ ହଇରାଣ ହେଉଛନ୍ତି। 

ହସ୍ପିଟାଲ‌ ବାରଣ୍ଡାରେ ବିଭିନ୍ନ ସ୍ଥାନରେ ମଇଳା ପଡ଼ିଥିବା ଦେଖିବାକୁ ମିଳିଛି। ମେଡିସିନ, ବ୍ୟବହୃତ ତୁଳା, ରକ୍ତ ଆଦି ପଡ଼ି ରହିଛି। ପରିବେଶ ସଂପୂର୍ଣ୍ଣ ଦୂଷିତ ହୋଇଯାଇଛି। ‌େତବେ ଜରୁରିକାଳୀନ ବିଭାଗ ଯେପରିକି, ଆଇସିୟୁ, ଲେବର ରୁମ, ଶିଶୁ ବିଭାଗର ଏସଏନସିୟୁ, ପିକୁ ଆଦି ସ୍ଥାନମାନଙ୍କରେ ସଫେଇ କର୍ମଚାରୀ ନିଯୁକ୍ତି ଅଛନ୍ତି।  ଏଣେ ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କୁ ବଝାଇବାରେ ଫେଲ୍‌ ମାରିଛି ପ୍ରଶାସନ। ଆଜି ଏକାମ୍ର ବିଧାୟକ ବାବୁ ସିଂହ, ଜିଲ୍ଲା ଶ୍ରମ ଅଧିକାରୀ, ହସ୍ପିଟାଲ ପ୍ରଶାସନ, ପୁଲିସ ପ୍ରମୁଖ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସଫେଇ କର୍ମଚାରୀମାନେ ମାନିନାହାନ୍ତି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲେ ମଧ୍ୟ ସଫେଇ କର୍ମଚାରୀମାନେ ମାନିବାକୁ ନାରାଜ। ଦଶହରା ବୋନସ ସହିତ ୩୦ ଦିନ ଦରମା ନ ଦିଆଗଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଆସନ୍ତାକାଲି କାର୍ଯ୍ୟରେ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନ ଦେଲେ ଟେଣ୍ଡର ନେଇଥିବା ଏଜେନ୍ସି ଅନ୍ୟ କର୍ମଚାରୀ ଆଣି ସଫେଇ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *