ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ନନ୍ଦନବିହାର ଅବହେଳିତ କାହିଁକି ?

ଭୁବନେଶ୍ୱର/୧୦-୦୯-୨୦୨୪(ପିପିଏସ): ବର୍ଷା ଜଳ ଯନ୍ତ୍ରଣାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଏଣେ ଅସ୍ତବ୍ୟସ୍ତ କଲାଣି ଅଳିଆ ଯନ୍ତ୍ରଣା। ଦିନେ କି ସପ୍ତାହେ ନୁହେଁ, ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ପ୍ରଶାସନକୁ ଯେତେ ନିବେଦନ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଜନପ୍ରତିନିଧିଙ୍କ ପାଖରେ ଏମାନଙ୍କ ଦୁର୍ଗନ୍ଧ ପହଞ୍ଚୁ ନାହିଁ କି ‌ଅଳିଆ ଆବର୍ଜନା ଗଦା କରୁଥିବା ବି‌ଏମ୍‌ସିର ଏଥିପ୍ରତି ନିଘା ନାହିଁ। ସ୍ଥିତି ଏମିତି ହେଲାଣି ଯେ ଅଳିଆ ଗଦା ନିକଟରେ ରହିଥିବା ବାସିନ୍ଦମାନେ ଘର ଛାଡ଼ି ଚାଲିଯାଉଛନ୍ତି। ବଡ଼ ବଡ଼ କୋଠା ସାଙ୍ଗକୁ ଆପାର୍ଟମେଣ୍ଟ ଏବେ ଖାଲି ପଡ଼ିବାକୁ ବସିଲାଣି। ସହରରୁ ବାହାରୁଥିବା ସବୁଜ ଆବର୍ଜନା ସାଙ୍ଗକୁ ଭଙ୍ଗାଯାଉଥିବା ଘରଗୁଡ଼ିକର ଆବର୍ଜନା ଏଠାରେ ଜମା ହୋଇ ରହୁଛି। ପ୍ରତିଦିନ ଉଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ପରିଣାମ ସ୍ବରୂପ ଅସରାଏ ବର୍ଷାରେ ଅଞ୍ଚଳବାସୀ ହିନସ୍ତା ଭୋଗୁଛନ୍ତି।କେବଳ ଯେ ବର୍ଷା ଦିନେ ଅଳିଆଗଦା ଦ୍ବାରା ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉ ନାହାନ୍ତି। ବରଂ ଖରା ଦିନେ ମଧ୍ୟ ସମାନ ଅବସ୍ଥା ଭୋଗିଥିଲେ। ଗତ ମାର୍ଚ୍ଚ ମାସରେ ନନ୍ଦନବିହାରର ଏହି ଅସ୍ଥାୟୀ ଡମ୍ପିଂୟାର୍ଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟି ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ପାଖପାଖି ଦୁଇ ଘଣ୍ଟା ଧରି ଅଳିଆଗଦାରେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ସ୍ଥାନୀୟ ଲୋକଙ୍କୁ ଅତିଷ୍ଟ କରିଥିଲା। ଆଖପାଖ ଅଞ୍ଚଳର ଲୋକେ ଘର ଝରକା କବାଟ ‌ବନ୍ଦ କରି ଦେଇଥିଲେ। ତା’ପରେ ମଧ୍ୟ କଷ୍ଟ ହେବାରୁ ଲୋକେ ଘରଦ୍ବାର ଛାଡ଼ି ପାଖଆଖର ଖୋଲା ପଡ଼ିଆକୁ ପଳାଇଥିଲେ।

ବର୍ଷା ଜଳ ଯନ୍ତ୍ରଣାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଏଣେ ଅସ୍ତବ୍ୟସ୍ତ କଲାଣି ଅଳିଆ ଯନ୍ତ୍ରଣା। ଦିନେ କି ସପ୍ତାହେ ନୁହେଁ, ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି।

ଏଭଳି ଘଟଣା ପରେ ଉକ୍ତ ସ୍ଥାନରୁ ଡମ୍ପିଂୟାର୍ଡ଼ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। କୁଢ଼କୁଢ଼ ଅଳିଆ କଲୋନି ନିକଟରେ ପଡ଼ିବାରୁ ଆଖପାଖ ‌ଅଞ୍ଚଳ ଦୁଗନ୍ଧରେ ଫାଟି ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି।ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ନନ୍ଦନବିହାରରେ ୧୦ ହଜାରରୁ ଅଧିକ ଲୋକେ ବସବାସ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଏଠାକାର ଲୋକଙ୍କୁ ମୌଳିକ ସୁବିଧା ମିଳିପାରି ନାହିଁ। ସର୍ବନିମ୍ନ ସୁବିଧା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି। ଘରକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଯେଉଁ ରାସ୍ତା ରହିଛି ସେଥିରେ ଯାତାୟାତ କରିବା କଷ୍ଟକର। କିଟ୍‌ ଛକ ନିକଟରୁ ସମସ୍ତ ନାଳ, ନର୍ଦ୍ଦମା, ପାଇଖାନା ପାଣି ଡ୍ରେନ୍‌ରେ ଆସି ନନ୍ଦନବିହାରରେ ପଶୁଛି। ବର୍ଷା ଦିନେ ତ କିଛି ଲୋକଙ୍କ ଘର ୨ରୁ ୩ ଫୁଟ ପାଣିରେ ବୁଡ଼ି ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଲୋକଙ୍କ ଅଭିଯୋଗ ହେଉଛି ଯେ ଏହି ଅଞ୍ଚଳର ଚାରିପାଖ ଅନ୍ଧାର। ଷ୍ଟ୍ରିଟ୍‌ଲାଇଟ୍‌ ଲାଗିପାରି ନାହିଁ। ବିଡିଏ ପକ୍ଷରୁ ଘର କରିବାକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସେଠାକୁ ରାସ୍ତା, ବିଜୁଳି, ଡ୍ରେନ୍‌, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବେଶ ପ୍ରଦୂଷଣ ପରି ସମସ୍ୟା ପ୍ରତି ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ଯାତାୟାତ କରିବା ଭଳି ରାସ୍ତା, ନନ୍ଦନକାନନ ରାସ୍ତାପାର୍ଶ୍ୱ ଡ୍ରେନ୍‌କୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ଡ୍ରେନ୍‌ର ବ୍ୟବସ୍ଥା, ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ଓ ନନ୍ଦନବିହାରରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା କରାଯାଉ। ଏହି ଅଞ୍ଚଳର ଉନ୍ନତି ପାଇଁ ସବୁ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ହେଲେ କେହି ବି ଧ୍ୟାନ ହେଉନାହାନ୍ତି। ୨୫ ବର୍ଷ ପରେ ଦୀପ ତଳ ଅନ୍ଧାର ପରି ରାଜଧାନୀ ନିକଟରେ ରହି ନନ୍ଦନବିହାର ଅବହେଳିତ ହୋଇ ରହିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *