ଚାଲୁ ରହିବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ର ସମସ୍ତ କାର୍ଯ୍ୟ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ। ଗ୍ରାମସଭାକୁ ସଶକ୍ତ କରାଯିବ। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଚାଲୁଥିବା ସମସ୍ତ କାମ ଚାଲୁ ରହିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡ଼ା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି । ସେ ବାବଦରେ ତର୍ଜମା କରାଯାଉଛି । କାମ କରିଥିବା ସଂସ୍ଥାକୁ ପାଉଣା ନିଶ୍ଚିତ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି । ଆମ ସରକାରରେ ସେମାନଙ୍କୁ ଆହୁରି କ୍ଷମତା ମିଳିବ। ୫୧୧ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିଲେ ଗତ ୫ ବର୍ଷରେ ରାଜ୍ୟରେ ଥିବା ବିଭିନ୍ନ ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ କେତେ ଟଙ୍କା ଦିଆଯାଇଛି ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ ରାଜ୍ୟ ପଞ୍ଚମ ଅର୍ଥ କମିଶନ ଓ କେନ୍ଦ୍ର ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ପ୍ରଦାନ କରାଯାଇଥାଏ । ବିକାଶମୂଳକ କାମ ପାଇଁ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ଅଧୀନରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୭୦.୫୯ କୋଟି ଟଙ୍କା ଏବଂ ୨୦୨୦-୨୧ରୁ ୨୦୨୩-୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପାଇଁ ୫୪୯.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର ଅର୍ଥ କମିଶନ ଅଧୀନରେ ୨୦୧୯-୨୦ରେ ୨୩୮୯.୫୪ କୋଟି ଟଙ୍କା ଦିଆଯାଇଥିବା ବେଳେ ୨୦୨୦-୨୧ରେ ୧୫୮୦.୬୦ କୋଟି, ୨୦୨୧-୨୨ରେ ୧୧୬୮.୩୦, ୨୦୨୨-୨୩ରେ ୧୨୦୯.୬୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧୨୨୨.୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାଛଡ଼ା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିକାଶମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତଗୁଡିକୁ ଅନୁଦାନ ପ୍ରଦାନ କରାଯାଇଥାଏ।

Leave A Reply

Your email address will not be published.