ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର କ୍ୟାବିନେଟ୍ ୭ଟି ପ୍ରମୁଖ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଏହି ୭ଟି କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଥମଟି ହେଉଛି ଡିଜିଟାଲ କୃଷି ମିଶନ, ଏହା କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରିବା । ୨୮୧୭ କୋଟି ବିନିଯୋଗରେ ଡିଜିଟାଲ କୃଷି ମିଶନ ପ୍ରସ୍ତୁତ କରାଯିବ ।
- ଏହି ୭ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
- ଖାଦ୍ୟ, ପୋଷଣର ଫସଲ ବିଜ୍ଞାନ ପାଇଁ କେନ୍ଦ୍ର କ୍ୟାବିନେଟ ୩୯୭୯ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛି।
- କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ୨,୮୧୭ କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ଅନୁମୋଦନ କରିଛି।
- କୃଷି ଶିକ୍ଷା ଓ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ୨୨୯୨ କୋଟି ଟଙ୍କାର ବ୍ୟବସ୍ଥା ସହ ଏକ କାର୍ଯ୍ୟକ୍ରମକୁ କ୍ୟାବିନେଟ୍ ର ଅନୁମୋଦନ।
- ସ୍ଥାୟୀ ପଶୁସମ୍ପଦ ସ୍ୱାସ୍ଥ୍ୟ ପାଇଁ ସରକାର ୧୭୦୨ କୋଟି ଟଙ୍କାର ଯୋଜନାକୁ ଅନୁମୋଦନ କରିଛନ୍ତି।
- ଉଦ୍ୟାନ କୃଷିର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ ୮୬୦ କୋଟି ଟଙ୍କା ମଞ୍ଜୁର କରିଛି।
- କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ।
- ପ୍ରାକୃତିକ ସମ୍ବଳ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ୧୧୧୫ କୋଟି ଟଙ୍କାର ଏକ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି।