କୁକୁଡ଼ା ବ୍ୟବସାୟକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ଗିରଫ

ଝାରସୁଗୁଡ଼ା/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ ରିଭଲଭର୍,୧୫ଟି ଜୀବନ୍ତ ଗୁଳି ଜବତ, କାର୍ ଏବଂ ଏକ ସ୍କୁଟି ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ୱାସିମ୍ ଆକ୍ରମ୍, ଶାହାବାଜ୍ ଖାନ୍ ଇମରାନ ଓ ଇଜାଜ୍ ଖାନ୍।

ପୁଲିସ୍ ସୂଚନାନୁସାରେ, ମଙ୍ଗଳବଜାରର ୨ ସମ୍ପର୍କୀୟ ଭାଇ ଇମ୍ରାନ୍ ଓ ଶାହାଜାହାନ୍ କୁକୁଡ଼ା ବ୍ୟବସାୟ କରନ୍ତି। ବ୍ୟବସାୟକୁ କେନ୍ଦ୍ର କରି ଗତ କିଛି ମାସ ହେଲା ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ୩ ମାସ ତଳେ ଶାହାଜାହାନ୍ କୁ ମଙ୍ଗଳବଜାରସ୍ଥିତ ଦୋକାନକୁ ଯାଇ ଇମ୍ରାନ୍ ଗାଳିଗୁଲଜ କରିଥିଲା । ତେବେ ଏହି ମାମଲାର ସମାଧାନ ପାଇଁ ଇମ୍ରାନ୍ ସେହି ଅଞ୍ଚଳର ମହମ୍ମଦ ଇଜାଜ୍କୁ କହିଥିଲା। ଗତକାଲି ରାତି ପ୍ରାୟ ୧୦ଟାରେ ଶାହାଜାହାନ୍କୁ ନେଇ ଇଜାଜ୍ ବେହେରାପାଟସ୍ଥିତ ଇମ୍ରାନର କୁକୁଡ଼ା ଫାର୍ମରେ ପହଞ୍ଚିଥିଲା । ଇମ୍ରାନ୍ ଓ ଶାହାଜାହାନ୍ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଇମ୍ରାନ୍ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବନ୍ଧୁକରେ ଶାହାଜାହାନ୍ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଛାତି ଓ ବେକରେ ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ହିଁ ଶାହାଜାହାନ୍ ର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଇମ୍ରାନ୍ ଓ ଇଜାଜ୍ ମିଶି ଶବକୁ ଏକ କାର୍ ରେ ନେଇ ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲା ସୀମାନ୍ତ ରେଙ୍ଗାଲି ବ୍ଲକ୍ ରମ୍ପେଲା ସେତୁରୁ ହୀରାକୁଦ ଡ୍ୟାମ୍କୁ ଫିଙ୍ଗି ଦେଇଥିଲେ।
ଶାହାଜାହାନ୍ ରାତିରେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ତେବେ ଏହା ଭିତରେ ଘଟଣା ପ୍ରଘଟ ହୋଇଯିବାରୁ ଅଭିଯୁକ୍ତ ଇମରାନ ଓ ଇଜାଜ୍ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ । ଇଜାଜ୍ ର ସୂଚନାକୁ ଭିତ୍ତି କରି ମଙ୍ଗଳବାର ଦିନ ପ୍ରାୟ ୧୨ଟା ବେଳକୁ ରମ୍ପେଲା ସେତୁ ନିକଟରୁ ଶାହାଜାହାନ୍ ର ଶବ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.