1 min read
ପିଚୁ ମିଶ୍ରଣ ୟୁନିଟ୍ ଧୂଆଁରେ କେରଳର ୫୦ ସ୍କୁଲ ଛାତ୍ର ଅସୁସ୍ଥ
ତିରୁଅନନ୍ତପୁରମ୍: ବୁଧବାର ଅପରାହ୍ଣରେ କେରଳର କୋଲ୍ଲମ ଜିଲ୍ଲାର କୋଟିୟମରେ ଥିବା ଅକ୍ସିଲିୟମ୍ ଆଇଏସ୍ସି ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ବାନ୍ତି ହେବା ଯୋଗୁ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାଙ୍କର ହଠାତ୍ ଏପରି ଅବସ୍ଥା ଦେଖି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହଗୁଡ଼ିକୁ ତୁରନ୍ତ ଖାଲି କରିଦେଇଥିଲେ। ସ୍କୁଲ ନିକଟରେ ଥିବା ଏକ ପିଚୁ ମିଶ୍ରଣ ୟୁନିଟ୍ ବିଷାକ୍ତ ଧୂଆଁ ଯୋଗୁ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ୟୁନିଟ୍ରେ କାର୍ଯ୍ୟ ଆରମ୍ଭ ହେବାପରେ ମୋଟା ଆକାରରେ ଧୂଆଁ ବାହାରିଥିଲା ଓ ସ୍କୁଲ ଆଡ଼େ ବ୍ୟାପି ଯାଇଥିଲା ବୋଲି କୁହାଯାଇଛି।
