ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ବାଂଲାଦେଶରେ ଫସିଛି ଆଦାନିଙ୍କ ୬୭୧୧ କୋଟି

ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭାରତକୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ କରିଥିବା ବେଳେ ସେଥିରୁ ଦେଶର ଦ୍ବିତୀୟ ବଡ଼ ଧନୀ ଗୌତମ ଆଦାନି ବାଦ୍‌ ପଡ଼ିନାହାନ୍ତି। ବାଂଲାଦେଶକୁ ନେଇ ତାଙ୍କ ଚିନ୍ତା ବଢ଼ିଯାଇଛି। ଆଦାନି ଗ୍ରୁପ୍‌ର କମ୍ପାନି ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ କରୁଛି। ସେ ବାବଦରେ କମ୍ପାନି ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ପାଇବାକୁ ଅଛି। ‌ଶୀଘ୍ର ଦେୟ ଦେବାକୁ ଆଦାନି ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ ଆଲୋଚନା ଜାରି ରହିଛି। 

ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନା ଦେଶରୁ ପଳାୟନ କରିଥିବା ବେଳେ ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବରେ ସେଠାରେ ଅନ୍ତରୀଣ ସରକାର ଗଠନ ହୋଇଛି। ତେଣୁ ଆଦାନି ପାୱାରକୁ ବକେୟା ଦେୟ ମିଳିବା ପ୍ରଭାବିତ ହୋଇପା‌ରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତି ଉପୁଜିଲେ ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିପାରେ। କମ୍ପାନି ଝାଡ଼ଖଣ୍ଡରେ ଥିବା ପାୱାର ପ୍ଲାଣ୍ଟରୁ ବାଂଲାଦେଶକୁ ବିଦ୍ୟୁତ ଯୋଗାଉଛି। ଆଦାନି ପାୱାର ବ୍ୟତୀତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଟିପିସି, ପିଟିସି ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଉଛନ୍ତି। 

ବାଂଲାଦେଶ‌ର ରାଜନୈତିକ ଅସ୍ଥିରତା ଏହାର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହାର ଭଣ୍ଡାରରେ ଥିବା ବୈଦେଶିକ ମୁଦ୍ରା ଦ୍ରୁତ ଗତିରେ ଶେଷ ହେଉଛି। ଏଭଳି ପରିସ୍ଥିତି‌ରେ ବିଭିନ୍ନ ବକେୟା ଶୁଝିବା ଲାଗି ଏହି ଦେଶର କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆର୍ଥିକ ଅନିଶ୍ଚିତତା ଦୂର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ଠାରୁ ୪୭୦ କୋଟି ଡଲାର ପାଣ୍ଠି ଆଣିବା ଉପରେ ଅନ୍ତରୀଣ ସରକାର ବିଚାର କରୁଛନ୍ତି।

Leave a Reply

Your email address will not be published. Required fields are marked *