ଜନ୍ତର ମନ୍ତରରେ ଆଉ ହେବନି ଧାରଣା! ପ୍ରତିବାଦ ପାଇଁ ୩ ନୂଆ ସ୍ଥାନ ଚିହ୍ନଟ
1 min read

ଜନ୍ତର ମନ୍ତରରେ ଆଉ ହେବନି ଧାରଣା! ପ୍ରତିବାଦ ପାଇଁ ୩ ନୂଆ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଧାରଣା ଓ ପ୍ରତିବାଦ ସ୍ଥଳକୁ ନେଇ ଆସିଛି ବଡ଼ ପରିବର୍ତ୍ତନ। ଏଣିକି ଜନ୍ତର ମନ୍ତର ବଦଳରେ ଅନ୍ୟ ତିନୋଟି ସ୍ଥାନରେ ଆନ୍ଦୋଳନ ଓ ଧାରଣା କରିବାକୁ ପ୍ରସ୍ତାବ ରଖିଛି ଦିଲ୍ଲୀ ପୁଲିସ। ଏଥିପାଇଁ ରାମଲୀଲା ମଇଦାନ, ବୁରାଡ଼ି ମଇଦାନ ଓ ସିବିଡି ମଇଦାନକୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାରଙ୍କ ପକ୍ଷରୁ ଆଦେଶ ଜାରି ହୋଇଥିବା କୁହାଯାଉଛି।

ଦୀର୍ଘବର୍ଷ ଧରି ଜନ୍ତର ମନ୍ତର ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦସ୍ଥଳ ଭାବେ ପରିଚିତ। ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଲୋକ ନିଜ ଦାବି ଉପସ୍ଥାପନ କରିବା ପାଇଁ ଏଠାରେ ଧାରଣା ଦେଇଆସୁଛନ୍ତି। ତେବେ ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳରେ ଏହା ଅବସ୍ଥିତ ହୋଇଥିବାରୁ ଏହାର ଆଖପାଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ଫଳରେ ଧାରଣା ଓ ଆନ୍ଦୋଳନ ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।

ନୂଆ ପ୍ରସ୍ତାବିତ ସ୍ଥାନଗୁଡ଼ିକରେ ଧାରଣା ଓ ପ୍ରତିବାଦ କିପରି ଆୟୋଜନ କରାଯିବ, ସେନେଇ ସ୍ୱତନ୍ତ୍ର ନିୟମାବଳୀ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯିବ ବୋଲି କୁହାଯାଇଛି। ଏହାଦ୍ୱାରା ଟ୍ରାଫିକ୍‌ ସମସ୍ୟା ହ୍ରାସ ପାଇବା ସହ ସାଧାରଣ ଲୋକଙ୍କ ଯାତାୟାତ ସୁଗମ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ବିରୋଧୀ ଦଳ ଓ କକରୋଚ୍‌ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଉଠିଥିବା ବିବାଦ ଏହି ଆନ୍ଦୋଳନର ଅନ୍ୟତମ ପ୍ରମୁଖ କାରଣ ଥିଲା।

ତେବେ ଏହି ପରିବର୍ତ୍ତନ ଦ୍ୱାରା ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବନ୍ଦ ହେବ ନାହିଁ; ବରଂ ଧାରଣା ପାଇଁ ସ୍ଥାନ ପରିବର୍ତ୍ତନ କରାଯାଉଛି ବୋଲି କୁହାଯାଇଛି। ନୂଆ ବ୍ୟବସ୍ଥା କିପରି ଲାଗୁ ହେବ ଏବଂ ଆନ୍ଦୋଳନକାରୀଙ୍କ ପାଇଁ କେଉଁ ସୁବିଧା ଉପଲବ୍ଧ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *