୨୦୨୭ ନିର୍ବାଚନ ପୂର୍ବରୁ ଯୋଗୀ-ଅଖିଳେଶ ମୁହାଁମୁହିଁ
ଅଯୋଧ୍ୟା : ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ଆସନକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଅଖିଳେଶ ଅଯୋଧ୍ୟାରୁ ପ୍ରାର୍ଥୀ ହେଲେ ସେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିବେ ଏବଂ ଉଭୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉ।
ଏହାର ଜବାବ ଦେଇ ଅଖିଳେଶ କହିଛନ୍ତି, ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟିର ଜଣେ ଯୁବ ପ୍ରାର୍ଥୀ ହିଁ ଯଥେଷ୍ଟ। ଅଯୋଧ୍ୟା ଆସନ ପାଇଁ ଦଳ ପୂର୍ବରୁ ତେଜ ନାରାୟଣ ପାଣ୍ଡେଙ୍କ ନାଁ ଘୋଷଣା କରିଛି। ୨୦୨୪ ଲୋକସଭା ନିର୍ବାଚନରେ ଫୈଜାବାଦ ଆସନରେ ବିଜେପିର ପରାଜୟ କଥା ମନେ ପକାଇ ଯୋଗୀଙ୍କୁ ଟାର୍ଗେଟ୍ କରିଛନ୍ତି ଅଖିଳେଶ। ରାମମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗକୁ ନେଇ ମଧ୍ୟ ଉଭୟ ଦଳ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ତେବେ ୨୦୨୭ ନିର୍ବାଚନରେ ଅଯୋଧ୍ୟାରୁ ଯୋଗୀ ଓ ଅଖିଳେଶ ମୁହାଁମୁହିଁ ହେବେ କି ନାହିଁ, ତାହା ଏବେ ଦେଖିବାର କଥା।

