ଅସ୍ତରଙ୍ଗ ବଜାରରେ ବଡ଼ ଧରପକଡ଼, ମେଡିକାଲ ଷ୍ଟୋରରେ ଡ୍ରଗ୍ସ ବିଭାଗର ରେଡ୍
1 min read

ଅସ୍ତରଙ୍ଗ ବଜାରରେ ବଡ଼ ଧରପକଡ଼, ମେଡିକାଲ ଷ୍ଟୋରରେ ଡ୍ରଗ୍ସ ବିଭାଗର ରେଡ୍

ଅସ୍ତରଙ୍ଗ: ‘ପ୍ରଜାତନ୍ତ୍ର’ରେ ଖବର ପ୍ରକାଶ ପରେ ଅସ୍ତରଙ୍ଗ ବଜାରରେ ହଠାତ୍‌ ଡ୍ରଗ୍ସ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌ର ଚଢ଼ାଉ। ବୁଧବାର ଅପରାହ୍ନରେ ଆଳସାହିରୁ ଅସ୍ତରଙ୍ଗ ମୁଖ୍ୟ ବଜାର ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ମେଡିକାଲ ଷ୍ଟୋରରେ ହୋଇଥିଲା ତନାଘନା ଯାଞ୍ଚ। ନକଲି କିମ୍ବା ନିମ୍ନମାନର ଔଷଧ ବିକ୍ରି ସନ୍ଦେହରେ କିଛି ଔଷଧର ନମୁନା ସଂଗ୍ରହ କରିଛି ତିନି ଜଣିଆ ଟିମ୍‌।

ଚଢ଼ାଉର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜୋନ୍‌ର ସହକାରୀ ଔଷଧ ନିୟନ୍ତ୍ରକ ଡ. ସୁଦର୍ଶନ ବିଶ୍ୱାଳ। ତାଙ୍କ ସହ ପୁରୀ ଜିଲ୍ଲା ଔଷଧ ନିରୀକ୍ଷକ ଡ. ଜ୍ଞାନଦା ଶୁଭଲକ୍ଷ୍ମୀ ନନ୍ଦ ଓ ବିଭାଗୀୟ ଅଧିକାରୀ ହିତେଶ କୁମାର ବେହେରା ଯାଞ୍ଚରେ ସାମିଲ ହୋଇଥିଲେ। ଆଳସାହି, ନଗର ଛକ ଓ ଅସ୍ତରଙ୍ଗ ମୁଖ୍ୟ ବଜାରର ବିଭିନ୍ନ ମେଡିକାଲ ଷ୍ଟୋରରେ ଲାଇସେନ୍ସ, ଫାର୍ମାସିଷ୍ଟଙ୍କ ଉପସ୍ଥିତି, ଷ୍ଟକ୍‌ ରେଜିଷ୍ଟର, କ୍ରୟ ବିଲ୍‌ ଓ ଔଷଧ ସଂରକ୍ଷଣ ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା।

ବିନା ଡାକ୍ତରୀ ପ୍ରେସକ୍ରିପସନ୍‌ରେ କିଛି ଔଷଧ ବିକ୍ରି, ଏମ୍‌ଆର୍‌ପିଠାରୁ ଅଧିକ ଦାମ ନେବା ଏବଂ ଔଷଧର ମାନ ଓ ବୈଧତା ନେଇ ଅଭିଯୋଗ ଥିବାରୁ ଏହି ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ଯାଞ୍ଚ ସମୟରେ ସନ୍ଦେହଜନକ ଔଷଧର ନମୁନା ସଂଗ୍ରହ କରାଯାଇ ଡ୍ରଗ୍‌ ଟେଷ୍ଟିଂ ଲାବୋରେଟୋରୀକୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ଆସିବା ପରେ ଔଷଧର ଗୁଣବତ୍ତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।

ସହକାରୀ ଔଷଧ ନିୟନ୍ତ୍ରକ ଡ. ସୁଦର୍ଶନ ବିଶ୍ୱାଳ କହିଛନ୍ତି ଯେ ଜନସାଧାରଣଙ୍କୁ ଗୁଣାତ୍ମକ ଓ ସୁରକ୍ଷିତ ଔଷଧ ଯୋଗାଇବା ବିଭାଗର ପ୍ରାଥମିକତା। ନମୁନା ପରୀକ୍ଷାରେ ନିମ୍ନମାନର କିମ୍ବା ନକଲି ଔଷଧ ପ୍ରମାଣିତ ହେଲେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ। ଆଗକୁ ପୁରୀ ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *