ଅସ୍ତରଙ୍ଗ ଥାଳିରେ ‘ବିଷ’! ନକଲି ପନିରଠୁ ନିମ୍ନମାନର ଖାଦ୍ୟ, ଚଢ଼ାଉକୁ ଅପେକ୍ଷା
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍ରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବଜାରରେ ନକଲି ପନିର, ମାନବିହୀନ ବୋତଲ ପାଣି ଓ ନିମ୍ନମାନର ଖାଦ୍ୟ ବିକ୍ରି ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ, ଦୀର୍ଘଦିନ ହେଲା ଖାଦ୍ୟ ସୁରକ୍ଷା ବିଭାଗର ବଡ଼ଧରଣର ଯାଞ୍ଚ କିମ୍ବା ଚଢ଼ାଉ ହୋଇନଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ବିଭିନ୍ନ ଛକ ଓ ଗାଁ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବଜାରରେ କିଲୋ ପିଛା ପ୍ରାୟ ୩୦୦ ଟଙ୍କାରେ ପନିର ବିକ୍ରି ହେଉଥିବାବେଳେ ଏହାର ମାନ ନେଇ ଗ୍ରାହକଙ୍କ ମଧ୍ୟରେ ସନ୍ଦେହ ରହିଛି। କେତେକ ବ୍ୟବସାୟୀ ନକଲି ପନିର ବିକ୍ରି କରୁଥିବା ଅଭିଯୋଗ ହେଉଛି। ତେବେ ଏହାର ସତ୍ୟତା ଯାଞ୍ଚ ପାଇଁ ଖାଦ୍ୟ ନମୁନା ପରୀକ୍ଷା ଆବଶ୍ୟକ।
ସେହିପରି ବିନା ଉପଯୁକ୍ତ ମାନ୍ୟତାରେ ବୋତଲ ପାଣି ବିକ୍ରି ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗୁପଚୁପ୍, ଚାଟ୍, ବରା, ସିଙ୍ଗଡ଼ା ଓ ମିଠା ଦୋକାନରେ ତେଲକୁ ବାରମ୍ବାର ବ୍ୟବହାର ଏବଂ ଖାଦ୍ୟରେ କୃତ୍ରିମ ରଙ୍ଗ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ରହିଛି। ଅନେକ ଦୋକାନରେ ଖାଦ୍ୟ ସୁରକ୍ଷା ପଞ୍ଜିକରଣ ନଥିବା ଅଭିଯୋଗ ମଧ୍ୟ ହୋଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଦାବି, ନିୟମିତ ଭାବେ ଖାଦ୍ୟ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉ। ସନ୍ଦେହଜନକ ଖାଦ୍ୟର ନମୁନା ସଂଗ୍ରହ କରି ସରକାରୀ ପରୀକ୍ଷାଗାରରେ ପରୀକ୍ଷା କରାଯାଉ। ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯାଉ। ଅସ୍ତରଙ୍ଗବାସୀଙ୍କ ଥାଳିରେ କ’ଣ ପଡ଼ୁଛି, ଏବେ ତାହା ଯାଞ୍ଚ କରିବାର ଦାୟିତ୍ୱ ବିଭାଗର।
