ଗାଁ ବିକାଶରେ ଅଚଳାବସ୍ଥା, ଅନୁଦାନ ଅପେକ୍ଷାରେ ପଞ୍ଚାୟତ
1 min read

ଗାଁ ବିକାଶରେ ଅଚଳାବସ୍ଥା, ଅନୁଦାନ ଅପେକ୍ଷାରେ ପଞ୍ଚାୟତ

ବାରିପଦା: ଗ୍ରାମାଞ୍ଚଳରେ ବିକାଶ ମୁହଁମାଡ଼ି ପଡ଼ିଛି। ଜଙ୍ଗଲ ଓ ପାହାଡ଼ ପାଖ ଗାଁର ଅବସ୍ଥା ଶୋଚନୀୟ। ପାହାଡ଼ ଚଢ଼ି ଲୋକେ ରାସନ ଓ ଭତ୍ତା ପାଇଁ ଯାଉଛନ୍ତି। ସରକାର ପରେ ସରକାର ବଦଳୁଛି, ହେଲେ ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳର ଚିତ୍ର ବିଶେଷ ବଦଳିନାହିଁ। ବାରିପଦା ବ୍ଲକର ବଡ଼ଜୋର ଏବଂ ଖୁଣ୍ଟା ବ୍ଲକର ଭୋଳାଗଡ଼ିଆ ପଞ୍ଚାୟତ ଚିତ୍ରରୁ ଏହା ସ୍ପଷ୍ଟ ହେଉଛି।

ବଡ଼ଜୋର ପଞ୍ଚାୟତର ନିଜସ୍ୱ ଆୟ କିଛିନାହିଁ। ସରକାରୀ ଅନୁଦାନ ଉପରେ ହିଁ ପଞ୍ଚାୟତ ନିର୍ଭରଶୀଳ। ଅଢ଼େଇ ବର୍ଷ ହେଲା ଅନୁଦାନ ନଆସିବାରୁ ବିକାଶ କାର୍ଯ୍ୟ ଅଟକି ରହିଛି। ରାସ୍ତା ଓ ପାନୀୟଜଳ ସମସ୍ୟା ମଧ୍ୟ ଦୂର ହୋଇପାରୁନାହିଁ। ପୂର୍ବରୁ ପଞ୍ଚାୟତକୁ ବର୍ଷକୁ ୫୦ରୁ ୬୦ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲା। ହେଲେ ଗତ ଅଢ଼େଇ ବର୍ଷ ହେଲା ସେଭଳି ଅନୁଦାନ ନଆସିବାରୁ ସମସ୍ୟା ବଢ଼ିଛି ବୋଲି ସରପଞ୍ଚ ଅଶୋକ ନାଏକ କହିଛନ୍ତି।

ଭୋଳାଗଡ଼ିଆ ପଞ୍ଚାୟତର ସ୍ଥିତି ମଧ୍ୟ ସମାନ। ସରପଞ୍ଚ ନନ୍ଦକିଶୋର ହାଁସଦା କହିଛନ୍ତି ଯେ, ସରକାର ବଦଳିବା ପରେ ଅନୁଦାନ ନଆସିବାରୁ ଲୋକଙ୍କ ସମସ୍ୟା ଦୂର କରିବା ସମ୍ଭବ ହେଉନାହିଁ। କାହାର ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର ଯୋଜନାରେ ତତ୍କାଳ ଅଢ଼େଇ ହଜାର ଟଙ୍କା ଦେବାକୁ ପଡ଼ୁଛି। ୧୦୦ରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ଟଙ୍କା ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଅର୍ଥ ମିଳିନଥିବା ସେ କହିଛନ୍ତି।

ଅଢ଼େଇ ବର୍ଷ ପରେ ଏବେ ପଞ୍ଚାୟତକୁ କିଛି ଅନୁଦାନ ଆସିଛି। ତେବେ ଏଥିରେ ପଞ୍ଚାୟତର ବିଶେଷ କୌଣସି ଭୂମିକା ନଥିବା ସରପଞ୍ଚମାନେ କ୍ଷୋଭର ସହ କହିଛନ୍ତି। ନୂଆ ସରକାର ଆସିବା ପରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ବର୍ଷକୁ ୫ରୁ ୭ ଲକ୍ଷ ଟଙ୍କା ଆସୁଛି। ତେବେ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ସରପଞ୍ଚମାନେ କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ପଞ୍ଚାୟତର ସ୍ଥିତି ଏଭଳି ବୋଲି ଅଭିଯୋଗ ହୋଇଛି। ଜିଲ୍ଲାରେ ୨୬ଟି ବ୍ଲକ୍‌ରେ ୪୦୪ଟି ପଞ୍ଚାୟତ ଓ ୩୯୬୬ଟି ଗାଁ ରହିଛି। ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ମୋଟ ଜନସଂଖ୍ୟା ୨୬ ଲକ୍ଷରୁ ଅଧିକ। ଏବେ ଗୃହ ଗଣନା ଅନୁଯାୟୀ ଏହା ପାଖାପାଖି ୨୯ ଲକ୍ଷ ବୋଲି କୁହାଯାଉଛି। ଭୋଟର ତାଲିକା ସଂଶୋଧନ ପରେ ଜିଲ୍ଲାର ଭୋଟର ସଂଖ୍ୟା ୧୮,୩୬,୮୨୨ରେ ପହଞ୍ଚିଛି। ଜିଲ୍ଲାର ପ୍ରାୟ ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି।

ଗ୍ରାମାଞ୍ଚଳର ବିକାଶକୁ ନେଇ ରାଜନୈତିକ ମତଭେଦ ମଧ୍ୟ ଦେଖାଦେଇଛି। ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି କହିଛନ୍ତି, “ବିଜେଡି ସରକାର ସମୟରେ ଗାଁର ବିକାଶକୁ ଗୁରୁତ୍ୱ ଦିଆଯାଉଥିଲା। ବିଜେପି ଆସିବା ପରେ ଗାଁର ବିକାଶ ଠପ୍ ହୋଇଯାଇଛି। ପ୍ରତି ପଞ୍ଚାୟତକୁ ବର୍ଷକୁ ୩ କୋଟି ଟଙ୍କା ଦେବା ଘୋଷଣା କେବଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ହାତେଇବା ପାଇଁ ଉଦ୍ଦିଷ୍ଟ।”

କଂଗ୍ରେସ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି, “କେବଳ ପ୍ରତିଶ୍ରୁତି ଓ ଭାଷଣବାଜିରେ ଚାଲିଛି ଡବଲ୍ ଇଞ୍ଜିନ ସରକାର।”

ଅନ୍ୟପକ୍ଷରେ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କହିଛନ୍ତି, “ଗାଁ ବିକାଶକୁ ବିଜେପି ସରକାର ପ୍ରାଥମିକତା ଦେଉଛି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛନ୍ତି।”

Leave a Reply

Your email address will not be published. Required fields are marked *