ବର୍ଷାରେ ଶୋଚନୀୟ ଭୂତମୁଣ୍ଡା-ଇଟାପୁର ରାସ୍ତା, ଯାତାୟାତରେ ହନ୍ତସନ୍ତ ଲୋକେ
ବାଇକମାଳ: ବାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଭୂତମୁଣ୍ଡା-ଇଟାପୁର (ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଭୂତମୁଣ୍ଡା ଗାଁଠାରୁ ପ୍ରାୟ ୧ କିମି ଦୂରରେ ଏହି ରାସ୍ତା ଅବସ୍ଥିତ। ଗାଁରେ ଦୀର୍ଘଦିନ ଧରି ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ପ୍ରାୟ ୪୦୦ ଜଣ ଲୋକ ରହୁଛନ୍ତି। ହେଲେ ଗାଁକୁ ଯିବା ପାଇଁ ଥିବା କଚ୍ଚା ରାସ୍ତାଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି।
ବର୍ଷାଋତୁରେ ଏହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିଦିନ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ନିକଟସ୍ଥ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଆନ୍ତି। ସେହିପରି ଗ୍ରାମବାସୀ ବିଭିନ୍ନ କାମରେ ବଜାର, ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟକୁ ଯିବାଆସିବା କରିଥାନ୍ତି।
କାଦୁଅ ରାସ୍ତାରେ ଛାତ୍ରଛାତ୍ରୀ ବାରମ୍ବାର ପଡ଼ିଯାଇ ଖଣ୍ଡିଆଖାବରା ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ରାସ୍ତାର ଦୁଇପାର୍ଶ୍ୱରେ ପ୍ରାୟ ୨୦ ଫୁଟ ଜମି ଥିବାବେଳେ କେତେକ ବ୍ୟକ୍ତି ରାସ୍ତା ପାର୍ଶ୍ୱର ଜମି ଜବରଦଖଲ କରି ଉଭୟ ପାର୍ଶ୍ୱରେ ତାରବାଡ଼ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ଫଳରେ ଲୋକଙ୍କ ଯିବାଆସିବାରେ ଆହୁରି ଅସୁବିଧା ସୃଷ୍ଟି ହେଉଛି।
ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବାରେ ମଧ୍ୟ ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ରାସ୍ତାରୁ ଜବରଦଖଲ ହଟାଇବା ସହ ପୁନର୍ବାର ରାସ୍ତା ପ୍ରଶସ୍ତୀକରଣ କରି ପିଚୁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏନେଇ ଗ୍ରାମର ତୁଳାରାମ ସାହୁ, ଯୁଧିଷ୍ଠିର ସାହୁ, ଫାଲଗୁନି ସାହୁ, ବନମାଳୀ ମିର୍ଧା, ଶୈଳବନ୍ତ ପ୍ରଧାନ, ଲୋକନାଥ ବାଗ, ଚୂଡ଼ାମଣି ସାହୁ, ଦୀପକ ସାହୁ, ବିହାରୀ ମାଝୀ, ପ୍ରତାପ ଶିକା, ନରସିଂହ ବେରିଆଙ୍କ ସମେତ ଅନ୍ୟ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
