ପାହାଡ଼ ଛାଡ଼ିଲେ, ତଥାପି ସମସ୍ୟା ଛାଡ଼ିଲାନି; ବିକାଶରୁ ବଞ୍ଚିତ ତମାଙ୍ଗ ଗ୍ରାମବାସୀ
ତେଲକୋଇ: ପାହାଡ଼ ଶିଖରରେ ଗଢ଼ିଉଠିଥିଲା ଜନବସତି। ବର୍ଷ ବର୍ଷ ଧରି ଏଠାରେ ବାସ କରୁଥିଲେ ପାଉଡ଼ିଭୂୟାଁ ଓ ଗୋପାଳ ସମ୍ପ୍ରଦାୟର ଲୋକେ। ମୌଳିକ ସୁବିଧା ଓ ଆଧୁନିକ ଜୀବନଶୈଳୀର ଆଶାରେ ଗ୍ରାମବାସୀ ପାହାଡ଼ ଛାଡ଼ି ତଳକୁ ଆସିଲେ। ପାହାଡ଼ ତଳେ ନୂଆ ଜନବସତି ଗଢ଼ିଉଠିଲା। ହେଲେ ଦୁର୍ଭାଗ୍ୟର ବିଷୟ, ସ୍ଥାନ ବଦଳିଲା ସିନା ସମସ୍ୟା ଦୂର ହେଲା ନାହିଁ। ଆଜି ବି ମୌଳିକ ସୁବିଧା ଓ ସରକାରୀ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଜୀବନ ବିତାଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଶିବନାରାୟଣପୁରଗୋଡ଼ା ପଞ୍ଚାୟତର ତମାଙ୍ଗ ଗ୍ରାମବାସୀ।
ପଞ୍ଚାୟତ ମୁଖ୍ୟାଳୟଠାରୁ ୧୫ କିମି ଏବଂ ବ୍ଲକ ମୁଖ୍ୟାଳୟଠାରୁ ୨୭ କିମି ଦୂରରେ ଥିବା ତମାଙ୍ଗ ଗାଁକୁ ୧୯୮୨ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇଥିଲା। ୨୦୧୪ ମସିହାରେ ଶିକ୍ଷା ବିଭାଗର ଆକଳନ ଅନୁଯାୟୀ ଏଠାରେ ୮୫ଟି ପରିବାର ବସବାସ କରୁଥିଲେ। ସେଥିରୁ ୮୦ଟି ପାଉଡ଼ିଭୂୟାଁ ଓ ୫ଟି ଗୋପାଳ ପରିବାର ଥିଲେ। ସେତେବେଳେ ଗାଁର ଜନସଂଖ୍ୟା ପ୍ରାୟ ୨୪୦ ଥିଲା।
ଗାଁକୁ ଯିବା ପାଇଁ ପ୍ରାୟ ୪ କିମି ପାହାଡ଼ିଆ ପାଦଚଲା ରାସ୍ତା ହିଁ ଏକମାତ୍ର ଭରସା ଥିଲା। ଗାଁର ପିଲାଙ୍କ ପାଠପଢ଼ା ପାଇଁ ୧୯୭୨ ମସିହାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗୃହ ନିର୍ମାଣ ସମ୍ଭବ ନହେବାରୁ ଗାଁର ମଣ୍ଡପ ଓ ବାରଣ୍ଡାରେ ବିଦ୍ୟାଳୟ ଚାଲୁଥିଲା। ଦୀର୍ଘ ୪୬ ବର୍ଷ ପରେ ୨୦୧୮ ମସିହାରେ ଜଣେ ହେଲେ ଛାତ୍ର ନଥିବା ଦର୍ଶାଇ ବିଦ୍ୟାଳୟଟିକୁ ବନ୍ଦ କରିଦିଆଗଲା।
ଜୀବିକା ପାଇଁ ଗ୍ରାମବାସୀ ପୋଡ଼ୁଚାଷ ମାଧ୍ୟମରେ ଧାନ, ମକା, ମାଣ୍ଡିଆ, କାଙ୍ଗୁ, ସୋରିଷ, ମୁଗ, ବିରି ଓ ଅନ୍ୟାନ୍ୟ ଫସଲ ଚାଷ କରୁଥିଲେ। ଏଥିସହ ଛେଳି, ମେଣ୍ଢା, ବଳଦ ଓ ଗୋପାଳନ କରି ଜୀବିକା ନିର୍ବାହ କରୁଥିଲେ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି।
ପାହାଡ଼ ଉପରେ ଗାଁ ଥିବାରୁ ଗମନାଗମନ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଟେଲିଯୋଗାଯୋଗ ଭଳି ମୌଳିକ ସେବା ପହଞ୍ଚିବା କଷ୍ଟକର ଥିଲା। ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବା ଏବଂ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପାଇଁ ନିର୍ମାଣ ସାମଗ୍ରୀ ବୋହିବା ମଧ୍ୟ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା।
ପ୍ରଶାସନିକ ଅଧିକାରୀଙ୍କଠାରୁ ବିକାଶର ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ପାହାଡ଼ ତଳକୁ ଆସିଥିଲେ। ଗୁଣ୍ଡୁରୁଗୁରେ ୪୦ଟି, କାଞ୍ଜିଆଝରଣରେ ୨୨ଟି, ନୂଆ ତମାଙ୍ଗରେ ୧୧ଟି ଏବଂ ଖଣ୍ଡିଆନାଳରେ ୭ଟି ପାଉଡ଼ିଭୂୟାଁ ପରିବାର ଏବେ ବସବାସ କରୁଛନ୍ତି। ୫ଟି ଗୋପାଳ ପରିବାର ପଡ଼ୋଶୀ ବିରିଡ଼ା ଗାଁରେ ରହୁଛନ୍ତି।
ହେଲେ ଗାଁ ତଳକୁ ଆସିଲା, ସମସ୍ୟା ଦୂର ହେଲା ନାହିଁ। ଯେଉଁ ଆଶା ନେଇ ସେମାନେ ଭିଟାମାଟି ଛାଡ଼ିଥିଲେ, ତାହା ପୂରଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାହାଡ଼ ଉପରେ ଯେଉଁ ସମସ୍ୟା ଥିଲା, ତଳକୁ ଆସିବା ପରେ ମଧ୍ୟ ଅନେକ ସମସ୍ୟା ଦୂର ହୋଇନାହିଁ।
ସିନ୍ଧୁ ପ୍ରଧାନ, ପଦୁ ଦେହୁରୀ ଓ ଦୁର୍ଯ୍ୟୋଧନ ଦେହୁରୀଙ୍କ ସମେତ ଅନ୍ୟ ଗ୍ରାମବାସୀ ଆବାସ, ଭତ୍ତା, ରାସନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ବିଦ୍ୟୁତ ଓ ଟେଲିଯୋଗାଯୋଗ ଭଳି ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ମଧ୍ୟ ସେମାନେ ସମସ୍ୟା ଜଣାଇଛନ୍ତି।
ଏନେଇ ତେଲକୋଇ ବିଡିଓ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରୁ ପାହାଡ଼ ତଳେ ଗଢ଼ିଉଠିଥିବା ଜନବସତିଗୁଡ଼ିକୁ ବିଦ୍ୟୁତ ସଂଯୋଗ ପାଇଁ ଟିପିଏନ୍ଓଡିଏଲ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି। ସେହିପରି ଗ୍ରାମବାସୀଙ୍କ ଅନ୍ୟାନ୍ୟ ସମସ୍ୟା ମଧ୍ୟ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ସେ କହିଛନ୍ତି।
