ଜରାଜୀର୍ଣ୍ଣ ଅବସ୍ଥାରେ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର
ଦୁଗ୍ଧ ସଂଗ୍ରହ ୫ ହଜାର ଲିଟରରୁ ୫୦୦ ଲିଟରକୁ ଖସିଲା
ପାରଳାଖେମୁଣ୍ଡି: ସକାଳ ପାଇଲେ ସଭିଙ୍କୁ ଦୁଗ୍ଧର ଆବଶ୍ୟକତା ପଡ଼େ। ତେଣୁ ଦୁଗ୍ଧର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଇ ସାରା ରାଜ୍ୟରେ କାର୍ଯ୍ୟ କରୁଛି ଓମଫେଡ୍ କେନ୍ଦ୍ର। ଓମଫେଡ୍ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଦୁଗ୍ଧ ସଂଗ୍ରହ କରି ସୁଲଭ ମୂଲ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଏକଦା ଲୋକଙ୍କ ଏକ ନିର୍ଭରଶୀଳ ସଂସ୍ଥା ଭାବେ ଗଢ଼ି ଉଠିଥିବା ଓମଫେଡ୍ ଏବେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ୧୯୯୩ ମସିହାରେ ଏକ ସ୍ୱତନ୍ତ୍ର ପରିସରରେ ଓମଫେଡ୍ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଦୁଗ୍ଧ ଉତ୍ପାଦନକାରୀ ଚାଷୀଙ୍କଠାରୁ ଦୈନିକ ପ୍ରାୟ ୫ ହଜାର ଲିଟରରୁ ଊର୍ଦ୍ଧ୍ୱ ଦୁଗ୍ଧ ସଂଗ୍ରହ କରାଯାଇ ଏଠାରେ ପ୍ରକ୍ରିୟାକରଣ ହେଉଥିଲା। ଦୁଗ୍ଧ ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ୨୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଥିଲେ। ବର୍ତ୍ତମାନ କର୍ମଚାରୀ ସଂଖ୍ୟା ମଧ୍ୟ ସୀମିତ ହୋଇଯାଇଛି।
ଏକଦା ବଜାରରେ ଓମଫେଡ୍ ଦୁଗ୍ଧର ଯଥେଷ୍ଟ ଚାହିଦା ରହିଥିଲା। ଚାଷୀମାନେ ମଧ୍ୟ ଦୁଗ୍ଧ ଉତ୍ପାଦନ ଓ ଯୋଗାଣ ପାଇଁ ଉତ୍ସାହିତ ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ଘରୋଇ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ମିଳିବା ଏବଂ ସରକାରୀ ସ୍ତରରେ ଏହି କେନ୍ଦ୍ର ପ୍ରତି ଅବହେଳା ଯୋଗୁଁ ଏହାର ସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇଥିବା ଅଭିଯୋଗ ହୋଇଛି।
ପ୍ରକ୍ରିୟାକରଣ କେନ୍ଦ୍ର ଓ କାର୍ଯ୍ୟାଳୟ କୋଠା ନଷ୍ଟ ହୋଇଯାଇଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଦୀର୍ଘଦିନ ଧରି ଆବଶ୍ୟକ ରକ୍ଷଣାବେକ୍ଷଣ ହୋଇନଥିବାରୁ ଅନେକ ଆସବାବପତ୍ର ନଷ୍ଟ ହୋଇଗଲାଣି। ଜରାଜୀର୍ଣ୍ଣ କୋଠା ଚାରିପାଖରେ ଜଙ୍ଗଲ ସଦୃଶ ପରିବେଶ ସୃଷ୍ଟି ହୋଇଛି। ତଥାପି ସେଠାରେ ପ୍ରକ୍ରିୟାକରଣ ଓ ଶୀତଳୀକରଣ କାର୍ଯ୍ୟ ଚାଲୁ ରହିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଦୁଗ୍ଧ ଉତ୍ପାଦନକାରୀ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବାରୁ ଦୁଗ୍ଧ ସଂଗ୍ରହ ପରିମାଣ ମଧ୍ୟ ହ୍ରାସ ପାଇଛି। ଏକଦା ଦୈନିକ ପ୍ରାୟ ୫ ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିବା ବେଳେ ଏବେ ଏହା ପ୍ରାୟ ୫୦୦ ଲିଟରକୁ ଖସିଆସିଥିବା ଅଭିଯୋଗ ହୋଇଛି।
ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆନ୍ଧ୍ରପ୍ରଦେଶର କେତେକ ଘରୋଇ କମ୍ପାନୀ ଗଜପତି ଜିଲ୍ଲାରେ ନିଜର କାରବାର ବିସ୍ତାର କରିପାରିଛନ୍ତି। ଆନ୍ଧ୍ରରୁ ଆସୁଥିବା କମ୍ପାନୀଗୁଡ଼ିକ ଚାଷୀଙ୍କଠାରୁ ଅଧିକ ଦାମରେ ଦୁଗ୍ଧ କିଣୁଥିବାରୁ ଚାଷୀମାନେ ସେମାନଙ୍କ ଆଡ଼କୁ ଆକୃଷ୍ଟ ହେଉଥିବା କୁହାଯାଉଛି।
ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ, ଆନ୍ଧ୍ରର ଏକ କମ୍ପାନୀ ଲିଟର ପିଛା ପ୍ରାୟ ୬୦ ଟଙ୍କା ଦେଉଥିବା ବେଳେ ଓମଫେଡ୍ ପକ୍ଷରୁ ପ୍ରାୟ ୩୫ ଟଙ୍କା ଦିଆଯାଉଛି। ଫଳରେ ଉଚିତ ମୂଲ୍ୟ ନପାଇ ଚାଷୀମାନେ ଓମଫେଡ୍ଠାରୁ ମୁହଁ ଫେରାଉଥିବା ଅଭିଯୋଗ ହୋଇଛି।
ବଜାରରେ ଆନ୍ଧ୍ର ଉତ୍ପାଦିତ ଦୁଗ୍ଧର ଦର ଲିଟର ପିଛା ପ୍ରାୟ ୬୦ ଟଙ୍କା ଥିବା ବେଳେ ଓମଫେଡ୍ ଦୁଗ୍ଧର ଦର ପ୍ରାୟ ୫୬ ଟଙ୍କା ରହିଛି। ଅର୍ଥାତ୍ ଚାଷୀଙ୍କଠାରୁ କମ୍ ଦାମରେ ଦୁଗ୍ଧ କିଣି ଓମଫେଡ୍ ଅଧିକ ଦାମରେ ବିକ୍ରି କରୁଥିବା ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଘରୋଇ କମ୍ପାନୀଗୁଡ଼ିକ ଅଧିକ ଦାମରେ ଦୁଗ୍ଧ କିଣି ମଧ୍ୟ ବଜାରରେ ପ୍ରତିଯୋଗିତା କରୁଛନ୍ତି।
ବିଶେଷଜ୍ଞ ଓ ଚାଷୀନେତାଙ୍କ ମତରେ, ଏହି କେନ୍ଦ୍ରର ଭିତ୍ତିଭୂମିର ବିକାଶ ସହ ନିୟମିତ ରକ୍ଷଣାବେକ୍ଷଣ, ଚାଷୀଙ୍କୁ ଉଚିତ ମୂଲ୍ୟ ଓ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଏହା ହେଲେ ଦୁଗ୍ଧ ଉତ୍ପାଦନ ବଢ଼ିବା ସହ ଓମଫେଡ୍ କେନ୍ଦ୍ରର ପୂର୍ବ ସ୍ଥିତି ଫେରିପାରିବ ବୋଲି ସେମାନେ କହିଛନ୍ତି।
କେନ୍ଦ୍ରର କୋଠାବାଡ଼ି ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ ଛାତରୁ ପାଣି ଝରୁଛି ଏବଂ କଂକ୍ରିଟ୍ ଖସୁଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଏଠାରେ କାମ କରିବା ନିରାପଦ ନୁହେଁ ବୋଲି ମଧ୍ୟ ଅଭିଯୋଗ ରହିଛି। ଶୀତଳଭଣ୍ଡାରର ଅବସ୍ଥା ମଧ୍ୟ ଚିନ୍ତାଜନକ। କର୍ମଚାରୀ ନିଯୁକ୍ତି ଅଭାବରୁ ମାତ୍ର ଦୁଇଜଣ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟାଳୟ ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି। ଗତ ୫ ମାସ ହେଲା କର୍ମଚାରୀମାନେ ଦରମା ପାଇନଥିବା ମଧ୍ୟ କୁହାଯାଇଛି।
ବ୍ରହ୍ମପୁର ଓମଫେଡ୍ ଅଧୀନରେ ଏହି କେନ୍ଦ୍ର ପରିଚାଳିତ ହେଉଥିବା ବେଳେ ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନଥିବା ନେଇ ଅଭିଯୋଗ ରହିଛି। କେନ୍ଦ୍ରର ପୁନରୁଦ୍ଧାର ହେଲେ ଚାଷୀଙ୍କ ସମେତ ସାଧାରଣ ଲୋକେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ଓ ଚାଷୀନେତାମାନେ କହିଛନ୍ତି।
ସରକାରୀ ସହାୟତା ଓ ଅନୁଦାନ ଅଭାବରୁ ମରାମତି ଓ ପୁନରୁଦ୍ଧାର କାମ ହୋଇପାରୁନଥିବା ଅଭିଯୋଗ ହୋଇଛି। ୨୦୦୬ ମସିହାରୁ କୌଣସି ଅନୁଦାନ ଆସିନଥିବା କୁହାଯାଇଛି। ଏପରିକି ଗତ ମହାବାତ୍ୟାରେ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକ ଅନୁଦାନ ମିଳିନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିବା ଜଣାପଡ଼ିଛି।
