କାଠ ପୋଲ ଭରସାରେ ଗ୍ରାମବାସୀ, ୭ ବର୍ଷ ହେଲାଣି ସ୍ଥାୟୀ ବ୍ରିଜ୍ ଅପେକ୍ଷା
1 min read

କାଠ ପୋଲ ଭରସାରେ ଗ୍ରାମବାସୀ, ୭ ବର୍ଷ ହେଲାଣି ସ୍ଥାୟୀ ବ୍ରିଜ୍ ଅପେକ୍ଷା

ଫୁଲବାଣୀ: ରାଜ୍ୟ ସରକାରଙ୍କ ଗାଁ ବିକାଶର ନାରା କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କେତେଦୂର ବାସ୍ତବ ରୂପ ନେଇଛି, ରାଇକଲା ପଞ୍ଚାୟତର ବିଅରପାଙ୍ଗା ଗ୍ରାମର ଚିତ୍ର ଦେଖିଲେ ତାହା ସ୍ପଷ୍ଟ ହେଉଛି। ଆଜି ବି ନାଳ ଉପରେ କାଠ ପକାଇ ତିଆରି ହୋଇଥିବା ବିପଦସଙ୍କୁଳ ଅସ୍ଥାୟୀ ପୋଲ ଦେଇ ଲୋକଙ୍କୁ ଯାତାୟାତ କରିବାକୁ ପଡ଼ୁଛି।

୨୦୧୮ ମସିହାରେ ହୋଇଥିବା ତିତ୍‌ଲି ବାତ୍ୟାରେ ଗ୍ରାମର ପୁରୁଣା ବ୍ରିଜ୍ ଭାଙ୍ଗିଯାଇଥିଲା। ଏହା ପରେ ପ୍ରାୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ବ୍ରିଜ୍ ନିର୍ମାଣ ହୋଇନାହିଁ। ଫଳରେ ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।

ଗ୍ରାମରେ ପ୍ରାୟ ୫୦ଟି ପରିବାର ବସବାସ କରୁଥିବାବେଳେ ଅଧିକାଂଶ ଆଦିବାସୀ ପରିବାର। ଭାଙ୍ଗିଯାଇଥିବା ବ୍ରିଜ୍ ଏହି ଅଞ୍ଚଳବାସୀଙ୍କ ଯାତାୟାତର ପ୍ରମୁଖ ରାସ୍ତା ଥିଲା। ବ୍ରିଜ୍ ଭାଙ୍ଗିଯିବା ପରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାର ପ୍ରଭାବ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ପଡ଼ିଛି। ଅଙ୍ଗନବାଡ଼ିର ୧୫ ଜଣ ଛୋଟ ପିଲାଙ୍କୁ ଅଭିଭାବକମାନେ କାନ୍ଧରେ ବୋହି କେନ୍ଦ୍ରକୁ ନେବାଆଣିବା କରୁଥିବା ଅଭିଯୋଗ ହୋଇଛି। ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରତିଦିନ ବିପଦସଙ୍କୁଳ ରାସ୍ତାରେ ଯାତାୟାତ କରୁଛନ୍ତି। ବର୍ଷା ଦିନେ ନାଳରେ ପାଣି ବଢ଼ିଲେ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼େ। ପାଣି ପାର ହେବା ସମୟରେ ଲୋକଙ୍କୁ ବାରମ୍ବାର ଡ୍ରେସ୍ ବଦଳାଇବାକୁ ପଡ଼ୁଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସମସ୍ୟା ଗୁରୁତର। ଗର୍ଭବତୀ ମହିଳାଙ୍କୁ ଜଙ୍ଗଲ ରାସ୍ତାରେ ପ୍ରାୟ ୩ରୁ ୫ କିଲୋମିଟର ଦୂରକୁ ନେବା ପରେ ଡାକ୍ତରଖାନାରେ ପହଞ୍ଚାଇବାକୁ ପଡ଼ୁଛି। ବୃଦ୍ଧ, ରୋଗୀ ଓ ଚାଷୀମାନଙ୍କ ଯାତାୟାତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ପ୍ରଶାସନ ନିକଟରେ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ମିଳୁନଥିବାରୁ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ପ୍ରାୟ ଏକ ବର୍ଷ ହେଲା କାଠ, ବାଉଁଶ ଆଦିରେ ଅସ୍ଥାୟୀ ପୋଲ ତିଆରି କରି ଯାତାୟାତ କରୁଛନ୍ତି। ୱାର୍ଡ ସଦସ୍ୟ ଲକ୍ଷ୍ମୀ ମଲ୍ଲିକ, ରାମୁ ପ୍ରଧାନ, କନିଷ୍ଠ ମଲ୍ଲିକ, ଟିପୁନା ପ୍ରଧାନ, ପ୍ରଣୀତା ପ୍ରଧାନ, ରୀଙ୍କିମା ପ୍ରଧାନ, ଚଞ୍ଚଳା ମଲ୍ଲିକ, ମନିତା ମଲ୍ଲିକ, ମହାଦେବ ପ୍ରଧାନଙ୍କ ସମେତ ଅନ୍ୟ ଗ୍ରାମବାସୀ କହିଛନ୍ତି ଯେ, ପ୍ରଶାସନ ନଶୁଣିବାରୁ ବିପଦ ସମୟରେ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ୁଛି।

ସ୍ଥାୟୀ ବ୍ରିଜ୍ ନିର୍ମାଣ ଶୀଘ୍ର ନହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ କହିଛନ୍ତି ଯେ, ବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ଆସିଛି। ପାଣି କମିଲେ ଶୀଘ୍ର କାମ ଆରମ୍ଭ ହେବ।

ସେହିପରି ରାଇକଲା ସରପଞ୍ଚ ସଙ୍ଗୀତା ପ୍ରଧାନ କହିଛନ୍ତି ଯେ, ବ୍ଲକ ଓ ଆର୍‌ଆଇଟିଡିଏ ବିଭାଗକୁ ଲିଖିତ ଭାବେ ସମସ୍ୟା ସମ୍ପର୍କରେ ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉତ୍ତର ମିଳିନାହିଁ। ତେବେ ସ୍ଥାୟୀ ବ୍ରିଜ୍ ନିର୍ମାଣ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *