ଭଙ୍ଗା ଛାତ ତଳେ ପାଠପଢ଼ା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
1 min read

ଭଙ୍ଗା ଛାତ ତଳେ ପାଠପଢ଼ା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ। ମାସେ କି ଦୁଇ ମାସ ନୁହେଁ, ଦୁଇ ବର୍ଷ ଧରି ପିଲାମାନେ ଭଙ୍ଗାଦଦରା କୋଠାରେ ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀରେ ଗୋଟିଏ ଘରେ ତିନୋଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ପ୍ରଥମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଥିଲେ, ଅନ୍ୟ ଶ୍ରେଣୀର ପିଲାମାନେ ଚୁପ୍ ହୋଇ ବସି ରହୁଛନ୍ତି। କେତେବେଳେ ଛାତର ସ୍ଲାବ୍ ଖସୁଛି ତ ଆଉ କେତେବେଳେ ଅସରାଏ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ସୌଭାଗ୍ୟବଶତଃ ଆଜି ପର୍ଯ୍ୟନ୍ତ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ହେଲେ ବିଦ୍ୟାଳୟର ଛାତ, ପାଚେରୀ ଯେମିତି ବିପଦସଙ୍କୁଳ ସ୍ଥିତିରେ ରହିଛି, କୌଣସି ମୁହୂର୍ତ୍ତରେ କିଛି ଅଘଟଣ ଘଟିପାରେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଅଭିଭାବକମାନେ ଥରେ ନୁହେଁ, ଏକାଧିକବାର ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟିର ବିନୟ ତିୱାରୀଙ୍କ ନେତୃତ୍ୱରେ ପିଲାମାନଙ୍କ ଅଭିଭାବକ ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସପ୍ତାହ ମଧ୍ୟରେ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।

ଲୁଙ୍ଗେଇ ସରପଞ୍ଚ ଅପି ଟୁଡୁ, ଆପ୍ ନେତା ବିଧାନସଭା ଅଧ୍ୟକ୍ଷ ଯୋଗେନ୍ଦ୍ର ପାଲ ତିକିଆ, ପୁନମ କାଇଥା, ଟିକେଶ୍ୱର ଜେନା, ଛୋଟୁ ବଡ଼ାଇକ ପ୍ରମୁଖ ଶିକ୍ଷା ବିଭାଗର ଏଭଳି ଖାମଖିଆଲି ମନୋଭାବକୁ ଦୃଢ଼ ନିନ୍ଦା କରିଛନ୍ତି।

ଜାତୀୟ ରାଜପଥ ପାର୍ଶ୍ୱରେ ଏହି ବିଦ୍ୟାଳୟ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୫ ପିଲା ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକଙ୍କ ସମେତ ମୋଟ ୬ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।

ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ବିଦ୍ୟାଳୟ ଓ ପାଚେରୀର କିଛି ଅଂଶ ଭାଙ୍ଗିଯାଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦରେ ପ୍ରାୟ ୪୦ ଲକ୍ଷ ଟଙ୍କା ଶିକ୍ଷା ବିଭାଗକୁ ଦେଇଥିଲେ। କ୍ଷତିପୂରଣ ମିଳିବା ପରେ ମଧ୍ୟ ମରାମତି କାମ ନ ହୋଇ ସେମିତି ଛାଡ଼ି ଦିଆଯାଇଥିଲା।

ବିଦ୍ୟାଳୟର ପ୍ରଧାନଶିକ୍ଷକ କବିତା ଦାସ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ବିଦ୍ୟାଳୟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଘରୋଇ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ ବୋଲି ଶିକ୍ଷାଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *