ବଦଳିଲା ଯୁକ୍ତ-୩ ପାଇଁ ଗାଇଡଲାଇନ : ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏନେଇ ୱେବସାଇଟ୍ ଆଉଥରେ ଖୋଲାଯାଇଛି । ଆସନ୍ତାବର୍ଷଠୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୬ ତାରିଖ ଯାଏ ଚାଲିବ।

ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଚଏସ୍ ଲକିଂ କରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଥିଲା । ମାତ୍ର ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି।

ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଏହି ନିୟମରେ ସଂଶୋଧନ କରାଯାଇଛି । ଫଳରେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଚଏସ୍ ଲକିଂ କରି ସାରିଛନ୍ତି, ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଯୋଗ ଗତକାଲିଠୁ ଦିଆଯାଇଛି । ଏଥିପାଇଁ ସରକାରଙ୍କ ୱେବସାଇଟ୍‌ ଖୋଲି ଦିଆଯାଇଛି। ଏହା ପିଲାଙ୍କ ଭବିଷ୍ୟତ ନିର୍ଦ୍ଧାରଣରେ ସହାୟକ ହେବ ବୋଲି ବିଚାର କରି ଏପରି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.