ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
1 min read

ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା ସଫା କରାଯାଇନାହିଁ। ଫଳରେ ଟାଙ୍କିରେ ପାଣି ବିଶୋଧନ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି। ଟାଙ୍କିଟି ଅସୁରକ୍ଷିତ ଓ ଖୋଲାମେଲା ଅବସ୍ଥାରେ ଥିବାରୁ କୁକୁର, ପକ୍ଷୀ ଓ ମାଙ୍କଡ଼ ଟାଙ୍କି ନିକଟକୁ ଯାଉଥିବା ସହ ପାଣି ଦୂଷିତ ହେଉଥିବା ଗ୍ରାମବାସୀ କହିଛନ୍ତି। ଏପରିକି ନଦୀରୁ ଅପରିଷ୍କାର ପାଣି ବିନା ଉପଯୁକ୍ତ ବିଶୋଧନରେ ଯୋଗାଣ କରାଯାଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଏହି ପାଣି ବ୍ୟବହାର କରି ଲୋକେ ବିଭିନ୍ନ ସମୟରେ ଅସୁସ୍ଥ ହେଉଥିବା ଗ୍ରାମବାସୀ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ବାରମ୍ବାର ବିଡିଓ ଓ ପଞ୍ଚାୟତ ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ଲିଖିତ ଦରଖାସ୍ତ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। ପୁଲିସ ଅଧିକାରୀମାନେ ଫୋନ୍ ଯୋଗେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବା ପରେ ଖୁବଶୀଘ୍ର ପାଣି ଟାଙ୍କିର ମରାମତି କରାଯାଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପୁଲିସର ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲାଯାଇଥିଲା।

ତେବେ ପ୍ରତିଶ୍ରୁତି ଅନୁସାରେ କେବେ ପାଣି ଟାଙ୍କି ମରାମତି ହୋଇ ନିୟମିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି, ତାହାକୁ ନେଇ ଗ୍ରାମବାସୀ ଅପେକ୍ଷା କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା, ମରାମତି ପ୍ରତିଶ୍ରୁତି ପରେ ଖୋଲିଲା।

Leave a Reply

Your email address will not be published. Required fields are marked *