ପିତାପଲ୍ଲୀ-ଗୋହିରା ଛକ ରାସ୍ତା ମରଣଯନ୍ତା; ୬.୫ କିମିରେ ୩୯ ଜଣଙ୍କ ମୃତ୍ୟୁ
1 min read

ପିତାପଲ୍ଲୀ-ଗୋହିରା ଛକ ରାସ୍ତା ମରଣଯନ୍ତା; ୬.୫ କିମିରେ ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଦୈନିକ ନମ୍ବର ୫ ଜାତୀୟ ରାଜପଥର ପିତାପଲ୍ଲୀରୁ ଗୋହିରା ଛକ ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। ମାତ୍ର ୬.୫ କିଲୋମିଟରରାସ୍ତାରେ ୨୦୨୫ ମସିହାରେ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୩ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି।

ଇନ୍ଫୋଭ୍ୟାଲି ଥାନା ଅଧୀନରେ ଆସୁଥିବା ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହା ମରଣଯନ୍ତା ପାଲଟିଛି। ଜିଲ୍ଲାର ଅନ୍ୟ ଥାନା ତୁଳନାରେ ଏହା ସର୍ବାଧିକ ମୃତ୍ୟୁହାର ଥିବା ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ନିକଟରେ ଗଡ଼ମଡ଼ା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ ଘଟଣା ଏହି ରାସ୍ତାର ସମସ୍ୟାକୁ ପୁଣିଥରେ ସାମ୍ନାକୁ ଆଣିଛି।

ଦୁର୍ଘଟଣାର ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ଫେବ୍ରୁଆରୀ ମାସରେ ଏକ ମିଳିତ ଯାଞ୍ଚ କରାଯାଇଥିଲା। ଇନ୍ଫୋଭ୍ୟାଲି ଆଇଆଇସି, ଆରଟିଓ-୨ର ରୋଡ୍ ସେଫ୍ଟି ଅଧିକାରୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ରୋଡ୍/ପ୍ରୋଜେକ୍ଟ ପ୍ରତିନିଧିମାନେ ଏହି ଯାଞ୍ଚରେ ସାମିଲ ହୋଇଥିଲେ।

ଯାଞ୍ଚ ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଅନଧିକୃତ ଭାବେ ଡିଭାଇଡର ଅତିକ୍ରମ, ସର୍ଭିସ୍ ରୋଡ୍ ଓ ମୁଖ୍ୟ ରାସ୍ତା ମଧ୍ୟରେ ପର୍ଯ୍ୟାପ୍ତ ବିଭାଜନର ଅଭାବ, ବାଟ ଭୁଆସୁଣୀ ମନ୍ଦିର ସାମ୍ନାରେ ରାଜପଥରେ ଅତ୍ୟଧିକ ପଥଚାରୀ ଚଳାଚଳ ଭଳି ଗୁରୁତର ସମସ୍ୟା ସାମ୍ନାକୁ ଆସିଛି। ଏହାସହିତ ରାତି ସମୟରେ ଦ୍ରୁତ ଗତିରେ ଗାଡ଼ି ଚଳାଚଳ ଓ ପର୍ଯ୍ୟାପ୍ତ ଟ୍ରାଫିକ୍ ସତର୍କତା ବ୍ୟବସ୍ଥାର ଅଭାବ ଭଳି ସମସ୍ୟା ଚିହ୍ନଟ ହୋଇଛି।

ଦୁର୍ଘଟଣା ରୋକିବା ପାଇଁ ରାସ୍ତାର ବିଭିନ୍ନ ଡିଭାଇଡର ଅଂଶରେ ମେଟାଲ୍ ବିମ୍ କ୍ରାଶ୍ ବ୍ୟାରିଅର (ଏମବିସିବି) ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ସର୍ଭିସ୍ ରୋଡ୍ ଓ ମୁଖ୍ୟ କ୍ୟାରେଜୱେ ମଧ୍ୟରେ ଏମବିସିବି କିମ୍ବା ପେଡେଷ୍ଟ୍ରିଆନ୍ ଗାର୍ଡ ରେଲ୍ (ପିଜିଆର୍) ନିର୍ମାଣ କରି ଯାନବାହନର ଅନିୟମିତ ଗତି ରୋକିବାକୁ ସୁପାରିସ କରାଯାଇଛି।

ବାଟ ଭୁଆସୁଣୀ ମନ୍ଦିର ନିକଟରେ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ଅଧିକ ଚଳାଚଳକୁ ଦୃଷ୍ଟିରେ ରଖି ଏକ ଫୁଟ୍ ଓଭରବ୍ରିଜ୍ (ଏଫ୍‌ଓବି) ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ସର୍ଭିସ୍ ରୋଡ୍‌ରେ ସ୍ପିଡ୍ ବ୍ରେକର୍, ସତର୍କତାମୂଳକ ଓ ନିୟନ୍ତ୍ରଣମୂଳକ ସାଇନ୍‌ବୋର୍ଡ ସହ ସୂଚନା ଫଳକ ଲଗାଇବାକୁ ମଧ୍ୟ ଯୁଗ୍ମ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟ ରାଜପଥରେ ଯାନର ବେଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଉଚ୍ଚତାର ଟ୍ରାନ୍ସଭର୍ସ ବାର୍ ମାର୍କିଂ (ଟିବିଏମ୍) ଓ ଆବଶ୍ୟକ ସତର୍କତାମୂଳକ ସଙ୍କେତ ଲଗାଇବାକୁ ସୁପାରିସ କରାଯାଇଛି। ଏଥିସହ ଦୁର୍ଘଟଣାପ୍ରବଣ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ଗଡ଼ମଡ଼ା ଓଭରବ୍ରିଜ୍‌ର ଶୀଘ୍ର ନିର୍ମାଣ ଏବଂ ଦ୍ରୁତଗତି ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଏନ୍‌ଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି।

ପିତାପଲ୍ଲୀରୁ ଗୋହିରା ଛକ ପର୍ଯ୍ୟନ୍ତ ଏହି ଅଞ୍ଚଳ ଅତ୍ୟନ୍ତ ଦୁର୍ଘଟଣାପ୍ରବଣ ବୋଲି ଯୁଗ୍ମ କମିଟି ମତ ଦେଇଛି। ଏହି ଦୁର୍ଘଟଣାପ୍ରବଣ ରାସ୍ତାର ବର୍ତ୍ତମାନ ସ୍ଥିତି ଓ ପ୍ରସ୍ତାବିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତି ପାଇଁ ରିପୋର୍ଟ ଦେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *