ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍‌ ଉଦ୍ଧାର: ଅବୈଧ ଚାଲାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ
1 min read

ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍‌ ଉଦ୍ଧାର: ଅବୈଧ ଚାଲାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, (ପିପିଏସ): ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଘଟଣାକ୍ରମ ସମ୍ପର୍କରେ ନିରନ୍ତର ଅବଗତ ରହିଛନ୍ତି ଏବଂ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି।

କେଉଁ ପରିସ୍ଥିତିରେ ଏହି ପ୍ରାଣୀଗୁଡ଼ିକ ବାଲେଶ୍ୱର ଜିଲ୍ଲାକୁ ଆସିଲେ ଏବଂ ଏହା ପଛରେ କ’ଣ ପୃଷ୍ଠଭୂମି ରହିଛି, ତାହା ସ୍ପଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ କେବେହେଲେ ଏକ ଟ୍ରାଞ୍ଜିଟ୍‌ ପଥ ହେବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ବିଦେଶୀ ବନ୍ୟପ୍ରାଣୀଙ୍କ ଏହି ବେଆଇନ ପରିବହନରେ କୌଣସି ନେଟୱାର୍କ ସଂପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଏହି ବିରଳ ପ୍ରଜାତିର ପ୍ରାଣୀଗୁଡ଼ିକ କେଉଁ ମାର୍ଗ ଦେଇ ଓଡ଼ିଶାକୁ ଅଣାଯାଇଥିଲା, ସେମାନେ କିପରି ରାଜ୍ୟରେ ପ୍ରବେଶ କଲେ, ସେମାନଙ୍କ ପରିବହନରେ କିଏ ସଂପୃକ୍ତ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଉଥିଲା—ଏସବୁ ଦିଗ ସ୍ପଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଏହି ମାମଲାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ତଦନ୍ତ ଜାରି ରହିଥିବା ସମୟରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍‌ଗୁଡ଼ିକୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍‌ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *