ଖଣ୍ଡପଡ଼ାରେ ୧୦୫ କୋଟିର ୭ ପ୍ରକଳ୍ପର ଶିଳାନ୍ୟାସ
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ: ଭର୍ତ୍ତୃହରି ମହତାବ
ଭାପୁର/ଖଣ୍ଡପଡ଼ା : ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ସେତୁ ପ୍ରକଳ୍ପର ଶୁଭଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି।

ଭାପୁର ବ୍ଲକର ୫ଟି ପ୍ରକଳ୍ପ ପାଇଁ ମୋଟ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ କଳାପଥର-ଭାପୁର ବାଇପାସ ରାସ୍ତାର କାଳୀଗିରି ନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୭.୬୮ କୋଟି, ୧୦.୬ କିଲୋମିଟର କଳାପଥର-ଭାପୁର ବାଇପାସ ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ୧୮.୩୩ କୋଟି, ୭.୧ କିଲୋମିଟର ବିଜିପୁର-କରବର ରାସ୍ତାର ଉନ୍ନତୀକରଣ ପାଇଁ ୭.୪୬ କୋଟି ଏବଂ ବିଜିପୁର-କରବର ରାସ୍ତାର କାଳୀଗିରି ନଦୀ ଉପରେ ସେତୁ ପାଇଁ ୩୪ କୋଟି ଟଙ୍କା ରହିଛି। ସେହିପରି ମାରଡ଼ା-ପଦ୍ମାବତୀ ୮.୧ କିଲୋମିଟର ରାସ୍ତାର ଉନ୍ନତୀକରଣ ପାଇଁ ୬.୫୨ କୋଟି ଟଙ୍କା ମଞ୍ଜୁର ହୋଇଛି।
ଖଣ୍ଡପଡ଼ା ବ୍ଲକରେ ମଧ୍ୟ ଦୁଇଟି ବଡ଼ ସେତୁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଖଳିସାହି-କୋସକା-ଆଡ଼କଟା ରାସ୍ତାର କୁଆଁରିଆ ନଦୀ ଉପରେ ସେତୁ ପାଇଁ ୧୨.୩୨ କୋଟି ଏବଂ ଖଣ୍ଡପଡ଼ା ବାଇପାସ ରାସ୍ତାର ସୁନାମୁହିଁ ନାଳ ଉପରେ ସେତୁ ନିର୍ମାଣ ପାଇଁ ୫୮.୮୧ କୋଟି ଟଙ୍କାର ପ୍ରକଳ୍ପ ରହିଛି।
ଶନିବାର ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶିଳାନ୍ୟାସକାରୀ ଭାବେ ଯୋଗଦେଇଥିବା ବେଳେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆବଶ୍ୟକତା ପୂରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଏକ ବଡ଼ ପଦକ୍ଷେପ। ଭାପୁର ଓ ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ବହୁଦିନର ଦାବି ପୂରଣ ହେଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।
ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଜନସାଧାରଣଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ହେବ ବୋଲି ଆଶା ପ୍ରକାଶ ପାଇଛି। ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନିରନ୍ତର ପ୍ରଚେଷ୍ଟା ପାଇଁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।
